ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରିରେ ବିରିକୁ ଔଷଧ ଭାବରେ କେମିତି ବ୍ୟବହାର କରିପାରିବେ, ତାହା ଉଲ୍ଲେଖ କରାଯାଇଛି।ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଛନ୍ତି ଯେ, ବିରିଜାଇ ସିଝାଇ ପୋଟଳି କରି ଗଣ୍ଠିବାତରେ ସେକ ଦେବେ, ବିରଜାଇ ଡାଲି ଖାଇଲେ ପକ୍ଷାଘାତ, ନାଡୀ ଦୁର୍ବଳ, ଅରୁଚି, ବିବନ୍ଧ, ଉଦରଶୂଳ, ମୂତ୍ରକୃଚ୍ଛ୍ର ପାଇଁ ହିତକର। ଅନାର୍ତ୍ତବ, ଧ୍ଵଜଭଙ୍ଗ, ମାତୃସ୍ତନ୍ୟ କମ ହେଲେ ଗୁଡ଼ କ୍ଷୀର ସହ କ୍ଷୀରୀ କରି ଖାଇବେ। ବିରି ପାମ୍ପଡ଼ ରାଶିତେଲରେ ଛାଣି ଖାଇଲେ ଅଣ୍ଟାବ୍ୟଥା ଭଲ ହୁଏ। ବିରି ସିଝା ଶୁଣ୍ଠି ଚୂର୍ଣ୍ଣ ସହ ଖାଇଲେ ପକ୍ଷାଘାତ, ହଳଦୀ ଗୁଣ୍ଡ ସହ ଖାଇଲେ ପ୍ରମେହ, ବିରିଜାଇ କ୍ୱାଥ ନାକରେ ପକାଇଲା ବିଶ୍ୱାଚି ଭଲ ହୋଇଯାଏ।ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ। ଶିବିରର ପରିଚାଳନାରେ ସହଯୋଗ କରିଥିଲେ କେ. ବାଳକୃଷ୍ଣ ପାତ୍ର। ଶେଷରେ ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଥିଲେ।