ବିନା ପ୍ଲାନିଂ ଅନୁମୋଦନରେ ଗଢ଼ିଉଠୁଛି ବଡ଼ ଅଟ୍ଟାଳିକା ସହର ଯୋଜନା ନିୟମକୁ ମାନୁନାହାନ୍ତି ।

ବିନା ପ୍ଲାନିଂ ଅନୁମୋଦନରେ ଗଢ଼ିଉଠୁଛି ବଡ଼ ଅଟ୍ଟାଳିକା ସହର ଯୋଜନା ନିୟମକୁ ମାନୁନାହାନ୍ତି ।

ବିନା ପ୍ଲାନିଂ ଅନୁମୋଦନରେ ଗଢ଼ିଉଠୁଛି ବଡ଼ ଅଟ୍ଟାଳିକା ସହର ଯୋଜନା ନିୟମକୁ ମାନୁନାହାନ୍ତି ।

ଗଜପତି, ୨୨.୩(ମନୋଜ ପାଢ଼ୀ):- ପାରଳାଖେମୁଣ୍ଡି ସହରରେ ଦିନ‌କୁ ଦିନ ବୃଦ୍ଧି ପାଉଛି ଜନସଂଖ୍ୟା । ସେହି ଅନୁପାତରେ ଘର ଓ ଦୋକାନ ବଜାର ମଧ୍ୟ ବୃଦ୍ଧି ପାଉଛି। ତେବେ, ବିନା ଟାଉନ୍ ପ୍ଲାନିଂ ଅନୁମୋଦନରେ ବଡ଼ ବଡ଼ ଅଟ୍ଟାଳିକା ଓ ବ୍ୟାବସାୟିକ ଅନୁଷ୍ଠାନ ଗଢ଼ି ଉଠୁଛି ଫଳରେ ସହରରେ ନିୟମ ତା’ ବାଟରେ ରହିଥିବା ବେଳେ କାମ ଅନ୍ୟବାଟରେ ଚାଲିବା ଭଳି ଅନୁଭବ ହୋଇଛି। ପାରଳା ସହରର ଜନସଂଖ୍ୟା ବର୍ତ୍ତମାନ ୫୦ ହଜାରରୁ ଊର୍ଦ୍ଧ୍ବ ରହିଛି। ୧୫ ହଜାରରୁ ଅଧିକ ଘର ଗଢ଼ିଉଠିଛି। ତେବେ, ବତ୍ତର୍ମାନ ସୁଦ୍ଧା ସହର ଯୋଜନା ଅଧୀନରେ ଆସୁଥିବା ୨୦ଟି ମୌଜାର ଅଫ୍‌ଲାଇନ ଓ ଅନ୍‌ଲାଇନ ଉଭୟ ଅଧାରରେ ମୋଟ ୧୧୩ ଜଣ ମାତ୍ର ଆବେଦନ କରିଛନ୍ତି। ସେଥିମଧ୍ୟରୁ ମାତ୍ର ୯୩ଟି କୋଠା ଅନୁମୋଦିତ ହୋଇଛି। ଏଣୁ, ସହର ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ସହରୀ ଯୋଜନାରେ ସହରର ଭୂମି ବ୍ୟବହାର, ଭିତ୍ତଭୂମିର ବିକାଶ, ଉନ୍ନତ ରୂପରେଖ, ଏହାର ପରିଚାଳନା ଓ ନିୟନ୍ତ୍ରଣ ଯେପରି ସ୍ଥାୟୀ ଭାବରେ କାର୍ଯ୍ୟକ୍ଷମ ହୋଇପାରିବ ସେଥିପ୍ରତି ପ୍ରାଧାନ୍ୟ ଦିଆଯାଉଛି। ଦୀର୍ଘକାଳୀନ ଅଭିବୃଦ୍ଧିକୁ ମାର୍ଗଦର୍ଶନ କରିବା ପାଇଁ ବ୍ୟାପକ ବିକାଶ ଯୋଜନା ପ୍ରସ୍ତୁତ କରାଯାଉଛି। ସହରାଞ୍ଚଳର ଭୂମି ବ୍ୟବହାର ନିୟମ ଅନୁଯାୟୀ ଆବାସିକ, ବାଣିଜ୍ୟିକ, ଶିଳ୍ପ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ଜମି ଆବଣ୍ଟନ ସହ ରାସ୍ତା, ପାକିଂ ଭଳି ଭିତ୍ତିଭୂମି ଏବଂ ସାମାଜିକ ସୁବିଧା ପ୍ରଦାନ ପାଇଁ ଭୂମି ଆବଣ୍ଡନର ଆବଶ୍ୟକ‌ତା ରହିଛି। ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି କୋଠା ନିର୍ମାଣରେ ସାଧାରଣ ସୁରକ୍ଷା ଏବଂ ସମାନତା ବଜାୟ ରଖିବା ପାଇଁ କୋଠା ଯୋଜନା ଅନୁମୋଦନ ପ୍ରଣାଳୀ ଭଳି ବ୍ୟବସ୍ଥା ରହିଛି। ଯେଉଁଠି କୋଠାର ଘନତା, ଉଚ୍ଚତା ଏବଂ ବିଭିନ୍ନ ଦିଗରେ ନିୟନ୍ତ୍ରଣ କରିବା ଅନ୍ତର୍ଭୁକ୍ତ ରହିଛି । ତେବେ, ସହରୀ ଯୋଜନାରେ ଅନୁମୋଦନ ନଥିଲେ ବ୍ୟାଙ୍କ୍ ଋଣ ଅବା ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇବାରେ ସମସ୍ୟା ରହିଛି ତଥାପି, ଏହି ନିୟମକୁ ଖାତିର ନ କରି କୋଠା ଉପରେ କୋଠା ଗଢ଼ି ଉଠୁଛି, ଯାହା ଉପରେ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ ।

ଫଳରେ, ରାଜସ୍ବ କ୍ଷତି ହେବା ସହ ସହର ବିକାଶରେ ବାଧା ସୃଷ୍ଟି ହେଉଛି। ସହରୀ ଯୋଜନା ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ – ଯେଉଁସବୁ ବ୍ୟାବସାୟିକ ଅନୁଷ୍ଠାନ ନିୟମର ଖିଲାପ କରୁଛନ୍ତି ସେମାନଙ୍କୁ ନୋଟିସ୍ କରାଯାଉଛି। ଯଦି ନିୟମକୁ କାର୍ଯ୍ୟକାରୀ ନ କରନ୍ତି ତା’ ହେଲେ ନିୟମ ଅନୁସାରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।