‘ବସନ୍ତ ସୋସିଆଲ ଫାଉଣ୍ଡେସନ ଓ ଷ୍ଟେଟ ବ୍ୟାଙ୍କ ‘ ତରଫରୁ ସ୍କୁଲ ମାନଙ୍କୁ କମ୍ପ୍ୟୁଟର ଓ ପ୍ରିଣ୍ଟର ପ୍ରଦାନ
କନ୍ଧମାଳ:- (ରିପୋର୍ଟ କୁନା ଦିଗାଲ)ବସନ୍ତ ସୋସିଆଲ ଫାଉଣ୍ଡେସନ, ନୂଆଁଦିଲ୍ଲୀ ( ଶାଖା – ମନମୁଣ୍ଡା , ବୌଦ୍ଧ ) ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ . ବି. ଆଇ ) ତରଫରୁ ଆଜି କନ୍ଧମାଳ ଜିଲ୍ଲାର 10 ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ କମ୍ପ୍ୟୁଟର ଡେସ୍କଟପ ଓ ପ୍ରିଣ୍ଟର ପ୍ରଦାନ କରାଯାଇଛି। ଏନେଇ ଆଜି ଫୁଲବାଣୀ ଠାରେ ଥିବା ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ବସନ୍ତ ସୋସିଆଲ ଫାଉଣ୍ଡେସନ (ବି . ଏସ. ଏଫ୍) ର ପ୍ରତିଷ୍ଠାତା ତଥା ଭାରତୀୟ ବ୍ୟାଙ୍କ ସଂଘ, ନୂଆଁଦିଲ୍ଲୀ ର ବରିଷ୍ଠ ପରାମର୍ଶ ଦାତା ବିକାଶ ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତା ଏବଂ ବୌଦ୍ଧ ଜିଲ୍ଲା ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ମୁଖ୍ୟ ଅତିଥି ଏବଂ କନ୍ଧମାଳ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନସ ରଞ୍ଜନ ଦାଶ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ବାଲିଗୁଡ଼ା ବ୍ଲକ ର ନୂଆଁସାହି, ଚକାପାଦ ବ୍ଲକ ର କବଲାଗମ୍ , ଦାରିଙ୍ଗବାଡି ବ୍ଲକ ର ଗଦପୁର, ବାମୁନିଗାଁ , କେ.ନୂଆଁଗାଁ ବ୍ଲକ ର ସିର୍ତିଗୁଡ଼ା , ମାହାସିଙ୍ଗି, ଫୁଲବାଣୀ ବ୍ଲକ ର ସଦରସୂଗା, ଫିରିଙ୍ଗିଆ ବ୍ଲକ ର ପାକରୀ, ଟିକାବାଲି ବ୍ଲକ ର ବୁର୍ବିନାଜୁ ଏବଂ ରାଇକିଆ ବ୍ଲକ ର ଇନ୍ଦ୍ରଗଡ , ମୋଟ 10 ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ର ସି. ଏସ .ଆର. ଆକ୍ଟିଭିଟି ତଥା ସ୍ପନ୍ସରସିପ ( ପ୍ରାୟୋଜିତ ) କ୍ରମେ ବସନ୍ତ ସୋସିଆଲ ଫାଉଣ୍ଡେସନ ତରଫରୁ ଏକ ଲେଖାଏଁ କମ୍ପ୍ୟୁଟର ଡେସ୍କଟପ୍ ଓ ପ୍ରିଣ୍ଟର ପ୍ରଦାନ କରାଯାଇଥିଲା। ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ବେଦଭୁଷଣ ଉକ୍ତ ସ୍କୁଲ ମାନଙ୍କ ର ପ୍ରଧାନ ଶିକ୍ଷକ ମାନଙ୍କୁ ସେସବୁ ପ୍ରଦାନ କରିଥିଲେ ଏବଂ ବସନ୍ତ ସୋସିଆଲ ଫାଉଣ୍ଡେସନ ଓ ଏସ. ବି. ଆଇ ର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ବେସିକ କମ୍ପ୍ୟୁଟର ଜ୍ଞାନ ପ୍ରଦାନ କରିବା ରେ ତଥା ଗୁଣାତ୍ମକ ଶିକ୍ଷାଦାନ ରେ ଏହା ସହାୟକ ହେବ ବୋଲି କହିଥିଲେ।
ବସନ୍ତ ସୋସିଆଲ ଫାଉଣ୍ଡେସନ ବୌଦ୍ଧ ଓ ସୁବର୍ଣ୍ଣପୂର ଜିଲ୍ଲାରେ ସରକାରୀ ସ୍କୁଲ , ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି ଓ ବିକାଶ ପାଇଁ ଅନେକ କାର୍ଯ୍ୟ କରିଆସୁଛି ଓ କନ୍ଧମାଳ ଜିଲ୍ଲାରେ ପ୍ରଥମଥର ପାଇଁ ଆଜି ଏହା କରାଯାଇଥିବାବେଳେ ସହଯୋଗ ମିଳିଲେ ଆହୁରି ଅନେକ କାମ କରାଯିବ ବୋଲି ଏହାର ପ୍ରତିଷ୍ଠାତା ଶ୍ରୀ ମିଶ୍ର କହିଥିଲେ। କନ୍ଧମାଳ ଜିଲ୍ଲା ର ସ୍କୁଲ ମାନଙ୍କୁ ସାହାଯ୍ୟ ପ୍ରଦାନ କରାଯାଇଥିବା ଏ ଡି ଇ ଓ ଶ୍ରୀ ଦାଶ କୃତଜ୍ଞତା ଜଣାଇଥିଲେ। ଶିକ୍ଷାବିତ୍ ସୁଶାନ୍ତ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। କନ୍ଧମାଳ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ର ବରିଷ୍ଠ ଅଧିକାରୀ ଶେଖର ବେହେରା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
