ବର୍ଷା ପ୍ରଭାବିତ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟ୍ରେ ପରାସ୍ତ କଲା ଭାରତ
ବୁଲାୱାଓ:ଚଳିତ ୧୯ ବର୍ଷରୁ କମ୍ ବିଶ୍ବକପ୍ରେ ବର୍ଷା ପ୍ରଭାବିତ ଶନିବାର ମ୍ୟାଚ୍ରେ ଭାରତ ଡକୱର୍ଥ–ଲୁଇସ୍ ନିୟମ ଅନୁଯାୟୀ ୭ ୱିକେଟ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଲଗାଣ ବର୍ଷା କାରଣରୁ ମ୍ୟାଚ୍ ୫୦ ଓଭର ପରିବର୍ତ୍ତେ ୩୭ ଓଭରକୁ ସୀମିତ କରାଯାଇଥିଲା।ଟସ୍ ଜିତି ଭାରତ ଅଧିନାୟକ ଆୟୁଷ ମହାତ୍ରେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲେ। ତାଙ୍କ ନିଷ୍ପତ୍ତିକୁ ସଫଳ କରି ଦୁଇ ଭାରତୀୟ ଦ୍ରୁତ ବୋଲର ଆର୍ଏସ୍ ଅମ୍ବ୍ରିସ (୪/୨୯) ଓ ହେନିଲ ପଟେଲ (୩/୨୩) ମିଶି ୭ଟି ୱିକେଟ୍ ନେଇ ନ୍ୟୁଜିଲାଣ୍ଡକୁ ୩୬.୨ ଓଭରରେ ୧୩୫ ରନ୍ରେ ଅଲଆଉଟ୍ କରିଦେଇଥିଲେ।୧୩୬ ରନ୍ର ଲକ୍ଷ୍ୟକୁ ଭାରତ ମାତ୍ର ୩ ୱିକେଟ୍ ହରାଇ ସହଜରେ ହାସଲ କରିନେଇଥିଲା। ଅଧିନାୟକ ଆୟୁଷ ମହାତ୍ରେ ସର୍ବାଧିକ ୫୩ ରନ୍ କରିଥିବାବେଳେ ବିସ୍ମୟ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ୪୦ ରନ୍ର ଦ୍ରୁତ ପାଳି ଖେଳିଥିଲେ।ଶାଣିତ ବୋଲିଂ ପାଇଁ ଆର୍ଏସ୍ ଅମ୍ବ୍ରିସଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏହି ବିଜୟ ସହ ଭାରତ ଲିଗ୍ ପର୍ଯ୍ୟାୟରେ ତିନିଟିରୁ ତିନିଟି ମ୍ୟାଚ୍ ଜିତି ଗ୍ରୁପ୍–ବି’ର ଏକମାତ୍ର ଅପରାଜିତ ଦଳ ହୋଇ ସୁପର–୬ ପୂର୍ବରୁ ନିଜ ଆତ୍ମବିଶ୍ବାସକୁ ଆହୁରି ମଜବୁତ କରିଛି।
