ବଡ଼ବିଲରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ସଶସ୍ତ୍ର ଡକାୟତି, ୮ ଲକ୍ଷ ନଗଦ ଓ ୫ କୋଟିରୁ ଅଧିକ ସୁନା ଲୁଟ୍ବ
ବଡ଼ବିଲ: କେନ୍ଦୁଝର ଜିଲ୍ଲାର ଖଣିଜ ସହର ବଡ଼ବିଲର କଳିଙ୍ଗ ରାସ୍ତା ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ଦିନ ଦିପ୍ରହରେ ଏକ ଗମ୍ଭୀର ସଶସ୍ତ୍ର ଡକାୟତି ଘଟିଛି। ଏହି ଘଟଣାରେ ଡକାୟତମାନେ ବନ୍ଧୁକ ମୁନରେ ପ୍ରାୟ ୮ ଲକ୍ଷ ଟଙ୍କା ନଗଦ ଓ ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଲୁଟ୍ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁସାରେ, ୫ରୁ ୬ ଜଣ ଅଜଣା ଡକାୟତ ଗ୍ରାହକ ସେବା ନେବା ନାଟକରେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ହଠାତ୍ ସେମାନେ ବନ୍ଧୁକ ବାହାର କରି ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଗ୍ରାହକମାନଙ୍କୁ ଭୟଭୀତ କରିଥିଲେ। ପରେ ବନ୍ଧୁକ ମୁନରେ ବ୍ୟାଙ୍କରେ ଥିବା ନଗଦ ଟଙ୍କା ସହ ବ୍ୟାଙ୍କ ଲକରରେ ରଖାଯାଇଥିବା ବହୁମୂଲ୍ୟ ସୁନା ଗହଣା ଲୁଟ୍ କରି ଡକାୟତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସନ୍ଦେହ କରାଯାଉଛି।
ଘଟଣାର ସୂଚନା ପାଇବା ସହିତ ବଡ଼ବିଲ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ ବ୍ୟାଙ୍କର ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ଡକାୟତମାନେ କେଉଁ ଦିଗକୁ ଫେରାର ହୋଇଥିଲେ ସେନେଇ ତଦନ୍ତ ଜୋରଦାର କରାଯାଇଛି।
ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଡକାୟତମାନଙ୍କୁ ଧରିବା ପାଇଁ ପୁଲିସର ଚେଷ୍ଟା ଜାରି ରହିଛି।ବ୍ୟାଙ୍କ ପକ୍ଷରୁ ଲୁଟ୍ ହୋଇଥିବା ନଗଦ ଟଙ୍କା ଓ ସୁନାର ସଠିକ୍ ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ଆଧିକାରିକ ସୂଚନା ମିଳିନାହିଁ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହି ସଶସ୍ତ୍ର ଡକାୟତି ଘଟଣା ପରେ ସହରବାସୀମାନଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଭୟ ଓ ଚିନ୍ତା ପ୍ରକାଶ ପାଇଛି।
