ପ୍ରସୂତୀ ବିଭାଗର ଅବହେଳା ଯୋଗୁଁ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଅଭିଯୋଗ

ପ୍ରସୂତୀ ବିଭାଗର ଅବହେଳା ଯୋଗୁଁ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଅଭିଯୋଗ

ପ୍ରସୂତୀ ବିଭାଗର ଅବହେଳା ଯୋଗୁଁ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଅଭିଯୋଗ

ଗଜପତି,୨୮.୨(ମନୋଜ ପାଢ଼ୀ)- : ଦିନକୁ ଦିନ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଅବ୍ୟବସ୍ଥା ତଥା ରୋଗୀସେବା ଜଟିଳ ହେବାରେ ଲାଗିଛି । ଏହି ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବେପରୁଆ ପରିଚାଳନା, ସବୁ ଅବ୍ୟବସ୍ଥା ସମ୍ପର୍କରେ ଅବଗତ ଥାଇ ଉଦାସ ମୁଦ୍ରାରେ ଥିବା ଜିଲ୍ଲା ପ୍ରଶାସନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଦୈନନ୍ଦିନ କୌଣସି ନା କୌଣସି ସମସ୍ୟା ପଦାରେ ପଡି ଚର୍ଚ୍ଚା ପରିସରକୁ ଆସୁଛି । ଆଜି ଜଣେ ଗୁରୁତରଥିବା ପ୍ରସୂତୀ ମହିଳାଙ୍କ ପରିବାର ବର୍ଗ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ପ୍ରସୂତୀକାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଡାକ୍ତର ନଆସିବା, ଆମ୍ବୁଲାନ୍ସ ବିଳମ୍ବରେ ଆସିବା, ଉପଯୁକ୍ତ ଚିକିତ୍ସା ନମିଳିବା ଆଦି ଯୋଗୁଁ ବିଶଦଗାର ଓଗାଳିଥିବା ଏବଂ ଚିକିତ୍ସା କରି ବଞ୍ଚାଇବା ପାଇଁ ଆକୁଳ ନିବେଦନ ଚିତ୍ର ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ ଯେ ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟ ଅନ୍ତର୍ଗତ କେକେସିଂ ଗ୍ରାମର ସୁମେନ୍ଦ୍ର ପରିଚ୍ଛାଙ୍କ ସ୍ତ୍ରୀ ଅମ୍ବ୍ରିତା ପରିଚ୍ଛା ଗର୍ଭବତୀ ଥିବା ଯୋଗୁଁ ଆଜି ବଡିଭୋର୍ ୩ ଘଣ୍ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ତାଙ୍କୁ କେହି ଡାକ୍ତର ଚିକିତ୍ସା କରିନଥିବା ବେଳେ ଜଣେ ଆନେସ୍ଥେସିଆ ଡାକ୍ତର ଚିକିତ୍ସା କରି କହିଥିଲେ ଯେ ପ୍ରସୂତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ପରିବାର ଲୋକେ ବ୍ରହ୍ମପୁର ବଡଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା । ଭୋର୍ ୩ ଘଣ୍ଟା ଠାରୁ ସକାଳ ୮.୩୦ ସମୟ ପର୍ଯ୍ୟନ୍ତ ପ୍ରସୂତୀ ବିଶେଷଜ୍ଞ ଡାକ୍ତରଙ୍କ ଦେଖା ମିଳିନଥିବା ବେଳେ ସକାଳ ୭.୪୦ ସମୟରେ ବରିଷ୍ଠ ଡାକ୍ତର ଜଣକ ଆସି ସେ ମଧ୍ୟ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ । ଇତି ମଧ୍ୟରେ କେବଳ ଦୁଇ ଜଣ ନର୍ସ ପ୍ରସୂତୀ ମହିଳାଙ୍କ ଚିକିତ୍ସା ଚଳାଇଥିଲେ । ଘଣ୍ଟା ଘଣ୍ଟା ବିତି ଯିବା ପରେ ଉଭୟ ଡାକ୍ତର କିମ୍ବା ଆମ୍ବୁଲାନ୍ସ ନଆସିବାରୁ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାକୁ ଲାଗିଲା । ସେପଟେ ସୁମେନ୍ଦ୍ରଙ୍କ ପରିବାରବର୍ଗ ତୁରନ୍ତ ଚିକିତ୍ସା କିମ୍ବା ସ୍ଥାନାନ୍ତର ପାଇଁ ନେହୁରା ହେଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ତୀବ୍ର ଅସନ୍ତୋଷ ବ୍ୟକ୍ତକରି ବିଶଦଗାର ଓଗାଳିଥିଲେ । ଏନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ହୋହାଲ୍ଲା ହୋଇଥିଲା ।

ସରକାରୀ ଚିକିତ୍ସାଳୟରେ ଥିବା ଡାକ୍ତରମାନେ ମାସିକ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିଲେ ମଧ୍ୟ ସଠିକ୍ ସମୟରେ ଚିକିତ୍ସା ନକରି ସରକାରୀ ଡାକ୍ତରମାନେ ଘରୋଇ ଚିକିତ୍ସାଳୟରେ ବ୍ୟସ୍ଥ ରହୁଥିବା ଅଭିଯୋଗ କରିଛନ୍ତି । ଯଦି ଓ ଘରୋଇ ଡାକ୍ତରଙ୍କ ପାଖକୁ ନେଇଥିଲେ ମୋ ଝିଅର ଅବସ୍ଥା ଏପରି ହୋଇନଥାନ୍ତା ବୋଲି ପରିବାରଲୋକ କାନ୍ଦବୋବାଳି କରି କହୁଥିଲେ । ଏପରି ବିକଳରେ ଏମାନେ ନେହୁରା, ଗୁହାରି କରୁଥିଲେ ମଧ୍ୟ ଚିକିତ୍ସାଳୟ ତରଫରୁ ହାତବାରସିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଶେଷରେ ସକାଳ ସାଢେ ଆଠ ଘଣ୍ଟା ସମୟରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ସ୍ଥାନାନ୍ତରିତ କରାଯାଇଥିଲା । ଖବର ନେବାର ଜଣାପଡିଛି ଯେ ବ୍ରହ୍ମପୁର ସ୍ଥିତ ଏମକେସିଜି ହସ୍ପିଟାଲ ଠାରେ ଅସ୍ତ୍ରପ୍ରଚାର କରାଯାଇ ପ୍ରସୂତୀଙ୍କ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିବା ବେଳେ ଅମ୍ବ୍ରିତା ପରିଚ୍ଛାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁହେଁଙ୍କ ସ୍ବାସ୍ଥ୍ୟ ଅବସ୍ଥା ସେଠାରେ ଜଟିଳ ଥିବାରୁ ଆଇସିୟୁରେ ରହିଥିବାର ଜଣାପଡିଛି । ଏନେଇ ତାଙ୍କ ପରିବାରବର୍ଗ କହିଛନ୍ତି ଯେ ଆମ୍ଭ ଝିଅର କୌଣସି ଅସୁବିଧା ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପ୍ରଶାସନ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।