ପ୍ରବାଦ ପୁରୁଷଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳିତ ।
ଗଜପତି,୫.୨(ମନୋଜ ପାଢ଼ୀ)- : ଝଡ଼ର ଇଗଲ ଭାବେ ପରିଚିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟନାୟକଙ୍କ ଆଜି ୧୧୦ତମ ଜନ୍ମ ଜୟନ୍ତୀ ପାରଳାଖେମୁଣ୍ଡି ଠାରେ ପାଳିତ ହୋଇଯାଇଛି । ଜିଲ୍ଲା ବିଜେଡି ପକ୍ଷରୁ ଶତାଧିକ ବିଜୁ ପ୍ରେମୀ, ନେତା ଓ କର୍ମୀ କଲେଜ ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ମହାନ ଜନନାୟକଙ୍କ ସ୍ମୃତିଚାରଣ କରିଥିଲେ । ପରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ମୃତିଚାରଣ ସଭାରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସାହାସିକତା, ଆଦର୍ଶ ନିତି ଓ ଦେଶ ତଥା ଓଡିଶାର ଉନ୍ନତି ନିମନ୍ତେ ତାଙ୍କ ଅବଦାନର ସମସ୍ତ ସ୍ମୃତିକୁ ମନେ ପକାଇ ଥିଲେ । ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସୁପୁତ୍ର ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡ଼ିଶାର ବିକାଶ କ୍ଷେତ୍ରରେ ବହୁ ଆଗକୁ ନେଇଥିଲେ । ଲୋକଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ସେବା କରିବା ହିଁ ବିଜୁବାବୁଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ସେ ମତ ପ୍ରକାଶ କରିଥିଲେ । ବିଜୁ ବାବୁଙ୍କ ଅବଦାନକୁ ଆଜି ମଧ୍ୟ ଓଡ଼ିଶାବାସୀ ସ୍ମରଣ କରୁଛିନ୍ତ ବୋଲି ମତବ୍ୟକ୍ତ କରାଯାଇଛି । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି ମହିଳା ସଭାପତି ସଂଯୁକ୍ତା ବେହେରା, ପାରଳାଖେମୁଣ୍ଡିର ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ବରିଷ୍ଠ ବିଜେଡି ନେତା ଭିଏସଏନ୍ ରାଜୁ, ଲକ୍ଷ୍ମୀକାନ୍ତ ପରିଚ୍ଛା, ଜିଲ୍ଲାର ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଜୁ ଛାତ୍ର ଓ ଯୁବ ସଂଗଠନରେ ସଭାପତି ଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ମାନେ ଯୋଗଦାନ କରିଥିଲେ ।
