ପେଟ ଯନ୍ତ୍ରଣାରୁ ୱାସିଂଟନ ସୁନ୍ଦର ବାଦ, ଆୟୁଷ ବାଦୋନିଙ୍କୁ ମିଳିଲା ଅନ୍ତର୍ଜାତୀୟ ଦଳରେ ସୁଯୋଗ
ମୁମ୍ବାଇ | :ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଭାରତୀୟ ଅଲରାଉଣ୍ଡର ୱାସିଂଟନ ସୁନ୍ଦର ପେଟ ଯନ୍ତ୍ରଣା କାରଣରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ ଆୟୁଷ ବାଦୋନିଙ୍କୁ ଦଳରେ ସୁଯୋଗ ଦିଆଯାଇଛି।
ଏହା ଆୟୁଷଙ୍କ ପାଇଁ ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ ହେବ।ବିସିସିଆଇ ପକ୍ଷରୁ ଜଣାଯାଇଛି ଯେ, ଆୟୁଷ ବାଦୋନି ରାଜକୋଟରେ ଭାରତୀୟ ଦଳ ସହ ଯୋଗ ଦେବେ। ରାଜକୋଟରେ ହିଁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ।ରବିବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚରେ ସୁନ୍ଦର ୫ ଓଭର ବୋଲିଂ କରି ୨୭ ରନ ଦେଇଥିଲେ।
ଏହା ପରେ ତାଙ୍କ ବାମ ପଟ ପେଟରେ ଯନ୍ତ୍ରଣା ହେବାରୁ ସେ ପଡ଼ିଆ ଛାଡ଼ିଥିଲେ। ଯଦିଓ ଯନ୍ତ୍ରଣା ସତ୍ତ୍ୱେ ସେ ଭାରତ ପକ୍ଷରୁ ୮ ନମ୍ବରରେ ବ୍ୟାଟିଂ କରିଥିଲେ। ଆହତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ବିସିସିଆଇର ଡାକ୍ତରୀ ଦଳ ନଜର ରଖିଛି। ଆବଶ୍ୟକ ହେଲେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନିଆଯିବ ବୋଲି କୁହାଯାଇଛି।
ଆୟୁଷ ବାଦୋନି ମୁଖ୍ୟତଃ ଜଣେ ପୂର୍ଣ୍ଣକାଳୀନ ବ୍ୟାଟ୍ସମ୍ୟାନ ହେଲେ ମଧ୍ୟ ସାମୟିକ ଅଫ୍-ସ୍ପିନ୍ ବୋଲିଂ କରନ୍ତି। ସେ ଏପର୍ଯ୍ୟନ୍ତ ୨୭ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୧ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ସହିତ ସେ ଆଇପିଏଲରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ ପକ୍ଷରୁ ଖେଳୁଛନ୍ତି ଏବଂ ଏପର୍ଯ୍ୟନ୍ତ ୫୬ଟି ମ୍ୟାଚ ଖେଳିଛନ୍ତି।
