ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ସୂଚନା ଫଳକ ମାରିବାକୁ ନେଇ ଚର୍ଚ୍ଚା

ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ସୂଚନା ଫଳକ ମାରିବାକୁ ନେଇ ଚର୍ଚ୍ଚା

ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ସୂଚନା ଫଳକ ମାରିବାକୁ ନେଇ ଚର୍ଚ୍ଚା

ଗଜପତି,୫.୨(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଓଡିଆ ଭାଷା ତଥା ସଂସ୍କୃତିକୁ ଅପମାନ କରିବା ଦୈନନ୍ଦିନ ଘଟଣାରେ ପରିଣତ ହେବାରେ ଲାଗିଛି । ଗୋଟିଏ ପଟେ ଓଡିଆ ଅସ୍ମିତା ଦ୍ବାହି ଦେଇ ଶାସନ କରୁଥିବା ସରକାରଙ୍କ ଓଡିଆ ଅସ୍ମିତା ଗଜପତିରେ ଚୁଲିକୁ ଯାଇଛି ବୋଲି ଆଲୋଚନା ହେଉଛି । ତେବେ ସରକାରୀ କାର୍ଯ୍ୟକ୍ରମ ଓ ସରକାରୀ ଫଳକରେ ଏପରି ଓଡିଆ ଭାଷା ଓ ସଂସ୍କୃତିକୁ ଅପମାନ କରିବା ସାଧାରଣରେ ଆଲୋଚ୍ୟ ବିଷୟ ପାଲଟିଛି । ଗତ ମାସରେ ହୋଇଥିବା ସୁଭଦ୍ରା ଶକ୍ତି ମେଳାରେ ପ୍ରଥମେ ପାରଳାଖେମୁଣ୍ଡି ସହରର ନାମର ବନାନ ତ୍ରୁଟି ଓ ପରେ ଜଗନ୍ନାଥଙ୍କ ଜଣାଣରେ ଫ୍ୟାସେନ୍ ଶୋ ପ୍ରଦର୍ଶନକୁ ନେଇ ଖୁବ୍ ଚର୍ଚ୍ଚାରେ ଥିବା ବେଳେ ଏବେ ପୂର୍ତ୍ତ ବିଭାଗର ସୂଚନା ଫଳକରେ ବ୍ୟାପକ ତ୍ରୁଟି ଉଲ୍ଲେଖ ଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଗତ କାଲି ଠାରୁ ସହରବାସୀ ମାନେ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ସୋସିଆଲ ମିଡିଆରେ ବନାନ ତ୍ରୁଟି ଫଳକକୁ ପୋଷ୍ଟ କରୁଥିବା ଏବଂ ଏଥିକୁ ନେଇ ବିଭିନ୍ନ ମନ୍ତବ୍ୟ ମଧ୍ୟ ଦିଆଯାଉଥିବାର ଦେଖିବାକୁ ମିଳୁଛି । ସହରର ପ୍ରମୁଖ ସ୍ଥାନ ଗୁଡିକୁ ସୂଚାଇବାକୁ ଯାଇ ପୂର୍ତ୍ତବିଭାଗ ବିଭିନ୍ନ ସ୍ଥାନରେ ଫଳକ ଲଗାଇଛି । ଯାହାକି ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଥିବା ବେଳେ ଏପରି ଓଡିଆ ଭାଷାକୁ ଅପଭ୍ରଂଶ କରି ଲେଖାଯାଇଥିବାକୁ ନେଇ ନାନାଦି ଆଲୋଚନା ହେଉଛି । ରାଜ ପ୍ରାସାଦ ବଦଳରେ “ରାଜପ୍ରସାଦ” ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ବଦଳରେ “ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ବିଦ୍ୟାଳୟ” ଲେଖିଥିବାର ଦେଖାଯାଉଛି । ଯାହାକି ବିଭାଗ ପକ୍ଷରୁ ଓଡିଆ ଭାଷାକୁ ଅପଭ୍ରଂଶ କରାଯାଥିବାର ଅଭିଯୋଗ ହୋଇଛି ।

ବିଶେଷ କରି ସରକାରୀ କାର୍ଯ୍ୟକ୍ରମ ଓ ସରକାରୀ ଫଳକରେ ଏପରି ବ୍ୟତୀକ୍ରମ ହେଉଥିବାରୁ ଉପାନ୍ତରେ ଓଡିଆ ଭାଷା ବିପଦରେ ପଡିଥିବାର ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏନେଇ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅଭିଷେକ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ କହିଛନ୍ତି ଯେ ତ୍ରୁଟିପୂର୍ଣ୍ଣ ଲେଖାକୁ ଆଜି ହିଁ ସଂଶୋଧନ ପାଇଁ ପଠାଇ ଦିଆଯାଇଛି । ଆଗାମୀ ଦିନରେ ଏପରି ତ୍ରୁଟି ପୂର୍ଣ୍ଣ ଲେଖା ନଯିବା ପାଇଁ ଗୁରୁତ୍ବ ଦିଆଯିବ ବୋଲି ଜଣାଇଛନ୍ତି ।