ପାରଳା ସହର ଉପକଣ୍ଠର ଶାନ୍ତିନଗର ପିଇବା ପାଣି ଅଭାବ: ପାଣି ପାଇଁ ଯିବାକୁ ପଡୁଛି ୨ କିମି ।
ଗଜପତି,୧୪.୩ (ମନୋଜ ପାଢ଼ୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ରହିଛି ଶାନ୍ତିନଗର ନାମରେ ଏକ ଜନବସତି. ଏଠାରେ ରହୁଛନ୍ତି 400 ପରିବାରର 1500 ରୁ ଉର୍ଦ୍ଧ ଲୋକେ. ହେଲେ ଏହି ଶାନ୍ତିନଗରରେ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏଠାକାର ଲୋକେ ପ୍ରତେକ ଦିନ 2 କିମି ପାଦ ଚଲାରେ ଯାଇ ପାରଳା ମୁନିସିପାଲିଟିର 2 ନଂ ୱାର୍ଡରୁ ପିଇବା ପାଣି ଆଣୁଛନ୍ତି । ଶାନ୍ତିନଗରର ଜନବସତିର ବାସିନ୍ଦା ସନ୍ତୋଷ ଦାସ, ମାଧବ ପଣ୍ଡା, ମୋହନ ବିଶ୍ୱାଳ, ବୈରାଗୀ ପ୍ରଧାନ, ତ୍ରିନାଥ ଜେନା ପ୍ରମୁଖ କହିଛନ୍ତି ଶାନ୍ତିନଗରରେ ଷ୍ଟାଣ୍ଡପୋଷ୍ଟ ରହିଛି । କିନ୍ତୁ ଜଳ ଯୋଗାଣ ହୋଇନାହିଁ । ତେଣୁ ଷ୍ଟାଣ୍ଡପୋଷ୍ଟ ଥାଇ ମଧ୍ୟ ପିଇବା ପାଣି ମିଳୁନାହିଁ । ଏଠାରେ ଦୁଇଟି ନଳକୂପ ରହିଥିଲା. ସେଗୁଡିକ ମଧ୍ୟ ଅଚଳ ହୋଇଯିବାରୁ ଏଥିରୁ ପାଣି ବାହାରୁ ନାହିଁ. ଶାନ୍ତିନଗରରେ 400 ରୁ ଉର୍ଦ୍ଧ ପରିବାରର 1500 ରୁ ଉର୍ଦ୍ଧ ଲୋକ ବସବାସ କରୁଛୁ ।
ଆମ୍ଭମାନଙ୍କ ଗାଧେଇବା ଓ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ମଧ୍ୟ ପାଣିର ଘୋର ଅଭାବ ରହିଛି । ହେଲେ ପିଇବା ପାଣି ପାଇଁ ଡହଳବିକଳ ହୋଇ 2 କିମି ରାସ୍ତା ପାଦ ଚଲାରେ ଯିବାକୁ ପଡୁଛି । ବର୍ତ୍ତମାନର ପ୍ରଚଣ୍ଡ ଖରା ରୌଦ୍ରତାପରେ 2 କିମି ପାଦ ଚଲାରେ ଯାଇ ପିଇବା ପାଣି ଆଣିବା ବହୁ କଷ୍ଟ ସାଧ୍ୟ୍ୟ ହୋଇପଡିଛି । ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି ଜଣାଇଛନ୍ତି । ସମ୍ପୃକ୍ତ ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ବେହେରାଙ୍କ ଦୃଷ୍ଟି ଆକାଷଣ କରିବାରେ ସେ କହିଥିଲେ ଘଟଣା ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ।
