ପାତ୍ରପୁରରେ ପିକନିକ୍ ବସ୍ ଦୁର୍ଘଟଣା: ଜଣେ ମୃତ, ୧୬ ଆହତ
ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ବୁରାତାଲ ପଞ୍ଚାୟତ ସାପୁଆଖତ ନିକଟରେ ଆଜି ଅପରାହ୍ଣ ସମୟରେ ଏକ ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଆହତ ହୋଇଛନ୍ତି।
ମୃତକ ହେଲେ ରତ୍ନା ବିଷୋୟୀ (୪୫)। ଆହତଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ପ୍ରାପ୍ତ ସୂଚନା ଅନୁସାରେ, ଆଙ୍କୁଶପୁର ସ୍ଥିତ ରୟାଲ୍ ଏନଫିଲ୍ଡ ସୋ’ରୁମ୍ର ପ୍ରାୟ ୫୦ଜଣ କର୍ମଚାରୀ ୩ଟି ବସ୍ରେ ପାତ୍ରପୁର ବ୍ଲକ୍ ସୀମାନ୍ତ ବାରିହା ପଥରକୁ ପିକନିକ୍ କରିବାକୁ ଯାଇଥିଲେ।
ପିକନିକ୍ ସାରି ବସ୍ରେ ଫେରୁଥିବା ସମୟରେ ବୁରାତାଲ ପଞ୍ଚାୟତ ଅଞ୍ଚଳର ସାପୁଆଖତ ରାସ୍ତାରେ ବସ୍ଟିର ହଠାତ୍ ବ୍ରେକ୍ ଫେଲ୍ ହୋଇ ଏକ ଖାଲ ମଧ୍ୟରେ ପଡ଼ି ଓଲଟି ଯାଇଥିଲା।ବସ୍ ଓଲଟି ପଡ଼ିବା ଫଳରେ ଯାତ୍ରୀମାନେ ଗୁରୁତର ଭାବେ ଆହତ ହୋଇଥିଲେ।
ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରତ୍ନା ବିଷୋୟୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଗୁରୁତର ଆହତ ହୋଇଥିବା ୪ଜଣ ହେଲେ ମନୋଜ ସାହୁ, ହିମାଂଶୁ ସେଠୀ, ଜିତେନ୍ଦ୍ର ଦାସ ଓ ଶିବ ପ୍ରସାଦ ପ୍ରଧାନ।
ସୂଚନା ମତାବକ, ଏହି ବସ୍ଟି ରୟାଲ୍ ଏନଫିଲ୍ଡ ସୋ’ରୁମ୍ ମାଲିକଙ୍କ ଘରୋଇ ସ୍କୁଲର ବସ୍ ଥିଲା, ଯାହାରେ କର୍ମଚାରୀମାନେ ପିକନିକ୍କୁ ଯାଇଥିଲେ।
