ପାକିସ୍ତାନରେ ଭୟଙ୍କର କାର୍ ବୋମା ବିସ୍ଫୋରଣ: ୩ ମହିଳା ଓ ଜଣେ ଶିଶୁ ସମେତ ୫ ମୃତ
ପେଶାୱାର: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଗୁରୁବାର ବିଳମ୍ବିତ ରାତିରେ ଏକ ପୋଲିସ ଷ୍ଟେସନକୁ ଟାର୍ଗେଟ୍ କରି ହୋଇଥିବା ଭୟଙ୍କର ଆତ୍ମଘାତୀ କାର୍ ବୋମା ବିସ୍ଫୋରଣରେ ୩ ଜଣ ମହିଳା ଓ ଜଣେ ଶିଶୁ ସମେତ ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁସାରେ, ବାନୁ ଜିଲ୍ଲାର ଡୋମେଲ ତହସିଲରେ ଥିବା ଏକ ପୋଲିସ ଷ୍ଟେସନକୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ୪ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯିବା ସହ ଆଖପାଖର ଅନେକ ଘର କ୍ଷତିଗ୍ରସ୍ତ ହୋଇଥିଲା। ଏହା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।ପୋଲିସ କହିଛି ଯେ, ଜଣେ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି କାର୍ ସହ ପୋଲିସ ଷ୍ଟେସନରେ ଧକ୍କା ଦେଇଥିଲେ, ଯାହାଫଳରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା।
ବିସ୍ଫୋରଣ ପରେ ସେହି ଅଞ୍ଚଳରେ ଗୁଳି ବିନିମୟ ମଧ୍ୟ ଘଟିଥିବା ଜଣାପଡିଛି।ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ୫ଟି ମୃତଦେହ ଉଦ୍ଧାର କରିଛନ୍ତି ଏବଂ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ରଖି ତଦନ୍ତ ଚଳାଇଛନ୍ତି।
