ପଦ୍ମ ପୁରସ୍କାର–୨୦୨୬ ଘୋଷଣା: ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତ ସରକାର ପଦ୍ମ ପୁରସ୍କାର–୨୦୨୬ ଘୋଷଣା କରିଛନ୍ତି। ଏଥର ମୋଟ ୧୩୧ ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ପୂର୍ବ ଦିନ ଏହି ଘୋଷଣା ହୋଇଛି।ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ। ସେମାନେ ହେଲେ ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ମହେନ୍ଦ୍ର କୁମାର ମିଶ୍ର। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଚରଣ ହେମ୍ବ୍ରମଙ୍କୁ ଏହି ସମ୍ମାନ ମିଳିଛି।ଏଥର ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି।
ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ନିଜେ ପୁରସ୍କାର ପ୍ରଦାନ କରିବେ।ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ଦିଆଯାଇଛି। ଝାଡ଼ଖଣ୍ଡ ଆନ୍ଦୋଳନର ନେତା ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ଭୂଷଣ ମିଳିଛି।
ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ୍ ହଳଦା ଗ୍ରାମପଂଚାୟତ ନୂଆଗାଁ ଗ୍ରାମର ଚରଣ ହେମ୍ବ୍ରମ ଜଣେ ପ୍ରସିଦ୍ଧ ସାନ୍ତାଳୀ ଲେଖକ ଓ ସଙ୍ଗୀତ ରଚନାକାର। ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର–ପ୍ରସାର ପାଇଁ ତାଙ୍କର ଅବଦାନ ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି।
