ପଡିରହିଛି ଗ୍ୟାସଚୁଲା, କାଠ ଜାଳି ହେଉଛି ରୋଷେଇ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ।
ଗଜପତି,୧୪.୧(ମନୋଜ ପାଢ଼ୀ)- ସରକାରୀ ବିଦ୍ୟାଳୟ ହେଉ କି ଅଙ୍ଗନବାଡ଼ି କେନ୍ଦ୍ର, ରନ୍ଧାଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ସମସ୍ତ ପ୍ରକାର ସରଞ୍ଜାମ ଯୋଗାଇ ଦେଉଛନ୍ତି । ହେଲେ, ଗଜପତି ଜିଲ୍ଲାର ଅଧିକାଂଶ ସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଗ୍ୟାସଚୁଲା ବ୍ୟବହାର ପରିବର୍ତ୍ତେ କାଠଚୁଲାର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ବିପଦସଙ୍କୁଳ ଅବସ୍ଥାରେ ପାଚିକାମାନେ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ପରଶୁଛନ୍ତି ।
ଅଧିକାଂଶ ବିଦ୍ୟାଳୟରେ ଗ୍ୟାସ୍ ସିଲିଣ୍ଡର୍ ଓ ଚୁଲି ପଡ଼ି ପଡ଼ି କଳଙ୍କି ଲାଗିଲାଣି ଗୋଟିଏପଟେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚାରିଲେ କହୁଛନ୍ତି ସରକାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ରୋଷେଇ ଦାୟିତ୍ବ ଅର୍ପଣ କରିଛନ୍ତି। ଆମର ସେଥିରେ କୌଣସି ଭୂମିକା ନାହିଁ| ଅନ୍ୟପଟେ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ପଚାରିଲେ ପ୍ରଧାନଶିକ୍ଷକ ଗ୍ୟାସ୍ ସିଲିଣ୍ଡର୍ ଦେଉନାହାନ୍ତି ଏବଂ କାଠରେ ରୋଷେଇ କଲେ ଶସ୍ତା ପଢୁଛି ବୋଲି କହିଛନ୍ତି ଏଭଳିକି, କିଛି ବିଦ୍ୟାଳୟରେ ଗ୍ୟାସଚୁଲା ମଧ୍ୟ ନାହିଁ। ସରକାର ନିରାପତ୍ତାରେ ରହି ରୋଷେଇ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଥିବା ବେଳେ କାହିଁକି ଏଭଳି ପାଚିକାମାନଙ୍କୁ ବିପଦ ଆଡ଼କୁ ଠେଲି ଦିଆଯାଉଛି, ସେ ନେଇ ପ୍ରଶ୍ନ ଉଠିଛି। ସେହିଭଳି, ରାଜ୍ୟ ସରକାର ପ୍ରଦୂଷଣମୁକ୍ତ ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଥିବା ବେଳେ ବିଦ୍ୟାଳୟଗୁଡ଼ିକରେ କାହିଁକି କାଠରେ ରୋଷେଇ କରି ପ୍ରଦୂଷଣ ବଢ଼ାଯାଉଛି, ତାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। ସରକାର ପ୍ରାଥମିକ ବିଦ୍ୟାଳୟ ଜାଳେଣି ବାବଦକୁ ୭୬ ପଇସା ଦେଉଥିବା ବେଳେ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଏକ ଟଙ୍କା ଦେଉଛନ୍ତି।
ଏତେ କମ୍ ଟଙ୍କାରେ ଗ୍ୟାସରେ ରୋଷେଇ କରିବା ସମ୍ଭବ ନୁହେଁ ବୋଲି କିଛି ମହିଳା ଗୋଷ୍ଠୀର ସଦସ୍ୟା କହିଛନ୍ତି। ଯଦି ସରକାର ଏ ଦିଗରେ ପଦକ୍ଷେପ ନେଇ ଜାଳେଣି ବାବଦକୁ କିଛି ଅର୍ଥରାଶି ବଢ଼ାନ୍ତି ତା’ ହେଲେ କାଠରେ ରୋଷେଇ ନ କରି ଗ୍ୟାସରେ ରୋଷେଇ କରନ୍ତେ ବୋଲି ସେମାନେ କହିଛନ୍ତି । ବୃକ୍ଷରୋପଣ ଆଉ ତା’ର ସୁରକ୍ଷା ପାଇଁ ସରକାରୀସ୍ତରରେ ଅନେକ ଯୋଜନା ହେଉଛି ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ, ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜାଳେଣି କାଠର ବ୍ୟବହାର କରିବା ଏବଂ ପ୍ରଦୂଷଣକୁ ବଢ଼ାଇବା କେତେ ଦୂର ଠିକ୍ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
