ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ସରକାରୀ ଅର୍ଥ ହେରଫେର ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ
ଗଜପତି,୨୨.୧(ମନୋଜ ପାଢ଼ୀ)- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦରେ ଥିବା ସର୍ବପୁରାତନ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟରେ ସରକାରୀ ଅର୍ଥ ହେରଫେର ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି । ଆଜି ବ୍ରହ୍ମପୁର ଭିଜିଲାନ୍ସ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୌମ୍ୟ ପଣ୍ଡାଙ୍କ ନେତୃତ୍ବରେ ତିନି ଜଣିଆ ଟିମ୍ ପାରଳାଖେମୁଣ୍ଡି ସ୍ଥିତ ପଟ୍ଟନାୟକ ବନ୍ଧରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି । ତେବେ ପଟ୍ଟନାୟକ ବନ୍ଧର ପାରିପାର୍ଶିକ ପରିସ୍ଥିତି ଦେଖି କ୍ଷୁବ୍ଧ ହୋଇଥିବା ବେଳେ ସମସ୍ତ ପରିସରକୁ ସଫା କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଧ ମଧ୍ୟ ଭାଗରେ ଅନାବନା ଘାସ ଲତା ବାହାରିଥିବା ବେଳେ ଏହାର ପରିସର କୁତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି । ବନ୍ଧମଧ୍ୟରେ ପାଣିର ଚିହ୍ନବର୍ଣ୍ଣ ନଥିବା ବେଳେ ପୂତ୍ତିମୟ ଗନ୍ଧରେ ନାକଫାଟିପଡୁଛି ।
ଏପରି ପରିସ୍ଥିତି ଦେଖି ଭିଜିଲାନ୍ସ ଟିମ୍ ଅସନ୍ତୋଷ ପ୍ରକଟ କରି ଥିଲେ । ଯାହାକୁ ନେଇ ଉପସ୍ଥିତ ପାରଳାଖେମୁଣ୍ଡି ପୌରପରିଷଦର ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ ଓ ପୌରଯନ୍ତ୍ରୀ ସଞ୍ଜିବ କୁମାର ଚମ୍ପତ୍ତି ସଫେଇ ପାଇଁ ୭ ଦିନ ମହଲତ ମାଗିଥିଲେ । ତେବେ ଭିଜିଲାନ୍ସ ଟିମ୍ ବନ୍ଧର କେତେକ ପାର୍ଶ୍ବର ନିରୀକ୍ଷଣ କରି ମାପଚୂପ କରିଥିବାର ଦେଖିବାକୁ ମିଳିଥିଲା । ବନ୍ଧ ପରିସର ସଫେଇ ହେବା ପରେ ପୁଣି ଏହି ଟିମ୍ ତଦନ୍ତ କରିବେ ବୋଲି ଜଣାପଡିଛି । ପଟ୍ଟନାୟକ ବନ୍ଧର ମୋଟ ୩ ଏକର ୩୬୫ ଡେସିମେଲ୍ ପରିଧିରେ ରହିଥିଲା । ତେବେ କାଳକ୍ରମେ ଏହାର ପରିସର ଜବରଦଖଲକାରୀଙ୍କ କବଜାକୁ ଚାଲିଯାଇ କେବଳ ଜଳ ରହଣୀସ୍ଥଳ ହିଁ ବଳକା ହୋଇଛି । ଏହାର ପାଣି ବନ୍ଧର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାର ୨୦୦୯ ମସିହାରୁ ଅଦ୍ୟାବଧି ବିଭିନ୍ନ ଯୋଜନାରେ ସରକାର ଯଥା କ୍ରମେ ୧ କୋଟି ୮୬ ଲକ୍ଷ ୫ ହଜାର ଓ ୨୫ଲକ୍ଷ ଟଙ୍କା ଏପରି ଭାବେ ମୋଟ ୨ କୋଟି ୧୧ ଲକ୍ଷ ୫ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିଲେ ।
ଏହି ଟଙ୍କାରେ ବନ୍ଧର ପୁନରୁଦ୍ଧାର, ଗାଧୁଆ ତୁଠ, ପଙ୍କଉଦ୍ଧାର, ରିଟର୍ଣ୍ଣିଂ ୱାଲ୍, କଂକ୍ରିଟ୍ ବ୍ଲକ ପିଚିଂ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟୟବରାଦ ହୋଇଥିଲା । ପୁନରୁଉଦ୍ଧାର ନାମରେ ଯେବେ ଠାରୁ କାମ ଆରମ୍ଭ ହେଲା ସେବେ ଠାରୁ ଏହାର ପତନ ମଧ୍ୟ ଆରମ୍ଭ ହେଲା । ପର୍ଯ୍ୟାୟ କ୍ରମେ ସରକାର ଅର୍ଥ ମଞ୍ଜୁର କରି ଚାଲିଥିଲେ ମଧ୍ୟ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ କାମ ସମାପନ ହୋଇପାରିଲା ନାହିଁ । ଯେଉଁ କାମ ହୋଇଛି ତାହା କାଗଜ କଲମରେ ସମାପନ ହୋଇଯାଇଥିଲା । ହେଲେ ପଟ୍ଟନାୟକ ବନ୍ଧ ଆଉ ପୁନରୁଉଦ୍ଧାର ହୋଇପାରିଲା ନାହିଁ । ୧୫ ବର୍ଷରୁ ଉର୍ଦ୍ଧ ସମୟ ହେଲା ଏହା ଆଉ ବ୍ୟବହାର ଉପଯୋଗୀ ହୋଇପାରିଲାନାହିଁ ।
ଏହି ପଟ୍ଟନାୟକ ବନ୍ଧ ହୁଡାରେ ଅନେକ ମନ୍ଦିର ରହିଛି । ଏହା ସହ ଅତି ନିକଟରେ ସଂସ୍କୃତ ମହାବିଦ୍ୟାଳୟ ମଧ୍ୟ ରହିଛି । ବନ୍ଧଟି ଅପନ୍ତରା ହୋଇପଡି ରହିବା ସହ ଆବର୍ଜନାମୟ ହୋଇଯାଇଛି । ଯଦ୍ବାରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଯାହା ଫଳରେ ସେଠାରେ ଥିବା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଓ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ଦୁର୍ଗନ୍ଧମୟ ପରିବେଶରେ ଯିବାକୁ ପଡୁଛି । ଏହି ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ସରକାରୀ ଅର୍ଥ ବ୍ୟାପକ ହେରଫେର ହୋଇଥିବା ଏବଂ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ କେବଳ କାଗଜ କଲମରେ ସମସ୍ତ କାମ ସମାପନ ହୋଇଛି । କିନ୍ତୁ ପ୍ରକୃତପକ୍ଷେ ପଟ୍ଟନାୟକ ବନ୍ଧଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଅଛି । ଏହି ବନ୍ଧଟିର କାମ ଠିକ୍ ଭାବେ କରାଯାଇନାହିଁ ।
ଠିକାଦାର ଓ ପୌରକର୍ତ୍ତୃପକ୍ଷଙ୍କ ମଧୂଚନ୍ଦ୍ରିକାରେ ସରକାରୀ ଅର୍ଥକୁ ଦୁରୁପଯୋଗ କରାଯିବା ସହ ମିଥ୍ୟା ବିଲ୍ ଦାଖଲ କରାଯାଇ ହରିଲୁଟ୍ କରାଯାଇଛି ବୋଲି ପାରଳାଖେମୁଣ୍ଡି ନିବାସୀ ପ୍ରନୋଜ କୁମାର ପଟ୍ଟନାୟକ ଗତ କିଛି ମାସ ପୂର୍ବେ ଗଜପତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଥିରେ ଦୋଷୀ ବ୍ୟକ୍ତି ଓ ଅର୍ଥ ହଡପକାରୀ ମାନଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍ ରୁ ହଡପ ଅର୍ଥ ଆଦାୟ କରିବାକୁ ଦାବୀ କରିଥିଲେ ।
