ଧାନକିଣାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା-ମନ୍ତ୍ରୀ ଶ୍ରୀ ପାତ୍ର
ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଜି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ରାଜ୍ୟ ଖାଦ୍ୟଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସକସେନାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ବୈଠକରେ ଆଲୋଚନା ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ ସଂପର୍କରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଅବଗତ କରାଇଥିଲେ । ଚଳିତ ଖରିଫ୍ ଋତୁରେ ଧାନକିଣା ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି । ଚାଷୀମାନଙ୍କ ହିତକୁ ଅଗ୍ରାଧିକାର ଦେବା ସହ ସେମାନଙ୍କ ସମସ୍ୟାକୁ ଗୁରୁତର ଭାବେ ବିଚାର କରି ତ୍ୱରିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ସ୍ଥଳ ବିଶେଷରେ ଏହାର ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । କୌଣସି ପଞ୍ଜୀକୃତ ଚାଷୀ ଧାନକିଣାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଏଣିକି ଆସନ୍ତା ଜାନୁଆରୀ ମାସରୁ ମାସିକିଆ ରାସନ ପ୍ରଦାନ କରାଯିବ । ପ୍ରତ୍ୟେକ ମାସର ରାସନ ପୂର୍ବ ମାସର ଶେଷ ସପ୍ତାହ ସୁଦ୍ଧା ପ୍ରଦାନ କରାଗଲେ ହିତାଧିକାରୀମାନେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ସ୍ଥଳ ବିଶେଷରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇମାସିଆ ରାସନ ମଧ୍ୟ ପ୍ରଦାନ କରାଯିବ । ଏଥି ନିମନ୍ତେ ଡିଲରମାନେ ଠିକଣା ସମୟରେ ସାଧାରଣ ବଣ୍ଟନ ସାମଗ୍ରୀ ଉଠାଣ କରିବା ଏବଂ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ଇ-କେୱାସି ଯାଞ୍ଚ ପ୍ରକ୍ରିୟା ଶେଷ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅବଗତ କରିବା ପାଇଁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ସୁଦ୍ଧା ୮୪ ପ୍ରତିଶତ ଇ-କେୱାସି ପ୍ରକ୍ରିୟା ଶେଷ ହୋଇଛି ।ଏଥି ସହ ଖାଉଟିମାନଙ୍କ ହିତକୁ ଦୃଷ୍ଟିରେ ରଖି ଦରଦାମ ନିୟନ୍ତ୍ରଣ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି କରୁଥିବା ବ୍ୟବସାୟୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଚଢ଼ାଉ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ପଡିବ । ଏତଦ୍ବ୍ୟତୀତ ଖାଉଟିମାନଙ୍କ ଅବଗତି ନିମନ୍ତେ ବିଭିନ୍ନ ସ୍ତରରେ ବିଭାଗ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ବୈଠକରେ ଆଲୋଚନା ହୋଇଛି ।ଜିଲ୍ଲାଗୁଡ଼ିକରେ ଖାଲି ପଡ଼ିଥିବା କଞ୍ଜୁ୍ମର ଫୋରମ୍ରେ ପଦବୀ ପୂରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଭୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ରାଜ୍ୟ ଖାଦ୍ୟଯୋଗାଣ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।