ଦ୍ବୀତିୟ ଦିନରେ ଗଜପତି ଉତ୍ସବ ।
ଗଜପତି,୧୯.୧(ମନୋଜ ପାଢ଼ୀ)-: ରବିବାର ସଂନ୍ଧ୍ୟାରୁ ଆରମ୍ଭ ହୋଇଥିବା ଗଜପତି ଉତ୍ସବ ୨୦୨୫ ଦ୍ବୀତିୟ ସଂନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ଇଂ.ରୁପେଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ, ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପୃଥ୍ୱୀରାଜ ମଣ୍ଡଳ, ଉପଜିଲ୍ଲାପାଳ ଅନୁପ ପଣ୍ଡା ପ୍ରମୁଖ ମଞ୍ଚାଶୀନ ଥିଲେ । ପ୍ରଥମେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଚାମ୍ପିୟନ ଟିମ, ବକ୍ସିଂରେ ଗଗନ ବେଣିଆ, ଜଗନ ବେଣିଆ ଓ ଗବେଷକ ବିଷ୍ଣୁ ମୋହନ ଅଧିକାରୀଙ୍କୁ ମଞ୍ଚରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ପିଆର ଗ୍ରୁପ ଦ୍ବାରା ପ୍ରସ୍ତୁତ ହୋଇଥିବା ‘ପାବନ ଭୂମି ପାରଳା’ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । କିନ୍ତୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଉତ୍ସବରେ ସେତେଟା ଭିଡ ପରିଲିଖିତ ହୋଇ ନଥିଲା । ପ୍ରଚାର ପ୍ରସାର ଅଭାବରୁ ଜିଲ୍ଲାର ଅନେକ କୋଣ ଅନୁକୋଣର ଲୋକେ ଉତ୍ସବର ସୂଚନା ସଠିକ ଭାବେ ପାଇପାରିନଥିବା ଅଭିଯୋଗ ହେଉଛି ।
ଏପରିକି ସମସ୍ତ ଷ୍ଟଲ ପ୍ରଥମ ଦିନରେ ଭରପୁର ରହୁଥିବା ବେଳେ ଚଳିତ ବର୍ଷ ଅଧିକାଂଶ ଷ୍ଟଲ ପ୍ରଥମ ଦିନ ଖାଲି ରହିଥିବା ବେଳେ ଦ୍ବୀତିୟ ଦିନ ସମ୍ପୂର୍ଣ୍ଣ ହୋଇଥିଲା । ସେପଟେ ସ୍ଥାନୀୟ ଉପସ୍ଥାପନା ଭଲ ରହିଥିବା ବେଳେ ବାହାରୁ ଆସିଥିବା ଉପସ୍ଥାପକ ଓ ଉପସ୍ଥାପିକା ଦର୍ଶକଙ୍କୁ ଆକୃଷ୍ଟ କରି ରଖିବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି । ଦ୍ବୀତିୟ ସଂନ୍ଧ୍ୟାରେ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ କଳାକାରଙ୍କ କୁଚୁପୁଡି, ପଶ୍ଚିମବଙ୍ଗର ପୁରୁଲିଆ ଛଉ, ଗଞ୍ଜାମର ବାଘନାଚ, ସମ୍ବଲପୁର ସମ୍ବଲପୁରୀ ନୃତ୍ୟ, ନବରଙ୍ଗପୁର ଢେମସା ଆର୍କଷଣିୟ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମେତ ଲୋକକଳା ମଧ୍ୟ ପ୍ରର୍ଦଶିତ ହୋଇଥିଲା । ଗତକାଲି ଓଡ଼ିଶାର ପ୍ରସିଦ୍ଧ ଗାୟକ ମଣ୍ଟୁ ଛୁରିଆ ଓ ତାଙ୍କ ଟିମ୍ ର ଆଧୁନିକ ଗୀତ ଲୋକଙ୍କୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଥିବା ବେଳେ ଉତ୍ସବରେ ଖଚାଖଚ୍ ଭିଡ଼ ପରିଲକ୍ଷିତ ହୋଇଥିଲା।
