ତ୍ରିରଙ୍ଗାକୁ ଅସମ୍ମାନ

ତ୍ରିରଙ୍ଗାକୁ ଅସମ୍ମାନ

ତ୍ରିରଙ୍ଗାକୁ ଅସମ୍ମାନ

ଗଜପତି,୨୪.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ତ୍ରିରଙ୍ଗା ପତାକାକୁ ଅସମ୍ମାନ କରାଯାଉଥିବା ଆଲୋଚନା ହେଉଛି । ସହରର ରେଳଷ୍ଟେସନ ଓ ସବଜେଲ୍ ସମ୍ମୁଖରେ ଥିବା ତ୍ରିରଙ୍ଗା ଗୁଡିକର ଆବଶ୍ୟକୀୟ ରକ୍ଷଣାବେକ୍ଷଣ କରାଯାଉ ନଥିବାର ଦେଖିବାକୁ ମିଳୁଛି । ସରକାର ତଥା ପ୍ରଶାସନ ତରଫରୁ ଉଚ୍ଚତମ ବିଶିଷ୍ଟ ତ୍ରିରଙ୍ଗା ଖମ୍ବ ପୋତାଯାଇଛି । ଉଦ୍ଦେଶ୍ୟ ରହିଛି ଯେ ଦୈନନ୍ଦିନ ଏହି ତ୍ରିରଙ୍ଗା ପତାକା ରହିବା ସହ ଦେଶାତ୍ମକ ଭାବ ସୃଷ୍ଟି କରିବା ଓ ନିଜ ଦେଶକୁ ସମ୍ମାନ ଜଣାଇବା । ହେଲେ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ଢଙ୍ଗ ଯୋଗୁଁ ଏହି ତ୍ରିରଙ୍ଗା ପତାକା ଗୁଡିକ ଶିରିହୀନ ହୋଇପଡିଛି । ରେଳଷ୍ଟେସନ ଠାରେ ଥିବା ତ୍ରିରଙ୍ଗାର ପତାକାର ରଙ୍ଗ ଉଡିଯିବା ସହ ଚିରିଯାଇଥିବାର ଦେଖିବାକୁ ମିଳୁଛି । ସେହିପରି ସବଜେଲ୍ ସମ୍ମୁଖରେ ଥିବା ତ୍ରିରଙ୍ଗା ଖୁଣ୍ଟରେ ତ୍ରିରଙ୍ଗା ଉଦ୍ଭାନ ହୋଇଯାଇଥିବାର ଦେଖିବାକୁ ମିଳୁଛି । ସହର ଏହି ଦୁଇଟି ସ୍ଥାନରେ ଲଗାଯାଇଥିବା ତ୍ରିରଙ୍ଗା ଖୁଣ୍ଟର ଉଦ୍ଘାଟନ ବେଳେ ଦେଶାତ୍ମକ ମନୋଭାବ ତଥା ଏହାର ଉଦ୍ଦେଶ୍ୟ ସମ୍ପର୍କରେ ବଡ ବଡ ଭାଷଣବାଜି ଦିଆଯାଇଥିଲା । ହେଲେ ବର୍ଷ ତମାମ ଏହାର ଆବଶ୍ୟକୀୟ ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ସରକାର ଓ ପ୍ରଶାସନର କେତେ ଆନ୍ତରିକତା ରହିଛି ତାହା ସହଜେ ଅନୁମେୟ ବୋଲି ସାଧାରଣରେ ନାନାଦି ଆଲୋଚନା ହେଉଛି । ଏପରି ଦାୟିତ୍ବହୀନ କାର୍ଯ୍ୟ କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନୂତନ ତ୍ରିରଙ୍ଗା ପତାକାକୁ ଲଗାଯିବା ପାଇଁ ସାଧାରଣରେ ଦାବି ଜୋର୍ ଧରିଛି ।