ଡାକ୍ତର ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ସ୍ବାସ୍ଥ୍ୟ ସେବାରେ OESMA ଲାଗୁ
ଭୁବନେଶ୍ଵର :ଡକ୍ଟର ଆନ୍ଦୋଳନ ଓ କାର୍ଯ୍ୟବନ୍ଦ ଯୋଗୁଁ ସାଧାରଣ ଲୋକଙ୍କୁ ଯେଣୁ ଅସୁବିଧା ନ ହୁଏ, ସେଥିପାଇଁ ସରକାର ଏକ କଡ଼ା ପଦକ୍ଷେପ ନେଇଛନ୍ତି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ OESMA (Odisha Essential Services Maintenance Act) ଲାଗୁ କରାଯାଇଛି। ଏହା ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ଆଧିକାରିକ ନିର୍ଦ୍ଦେଶନାମା ଜାରି କରାଯାଇଛି।ସୂଚନା ଅନୁସାରେ, ଏହି ନିର୍ଦ୍ଦେଶ ଆଗାମୀ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।
OESMA ଲାଗୁ ହେବା ସହ ସ୍ବାସ୍ଥ୍ୟ ସେବା ସଂପୃକ୍ତ କର୍ମଚାରୀମାନେ ଧର୍ମଘଟ, କାର୍ଯ୍ୟବନ୍ଦ କିମ୍ବା କାମ ଅସ୍ୱୀକୃତି ପରି କାର୍ଯ୍ୟକଳାପରେ ଯୋଗ ଦେଇପାରିବେ ନାହିଁ। ଏହା ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ବ୍ୟବସ୍ଥା ରହିଛି।
ସରକାର କହିଛନ୍ତି ଯେ, ରୋଗୀ ସେବା ହେଉଛି ଆବଶ୍ୟକୀୟ ସେବା। ଏହି ସେବାରେ କୌଣସି ବାଧା ଉତ୍ପନ୍ନ ହେଲେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବେ। ସେହିଥିରୁ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସ୍ଥିର ରଖିବା ଉଦ୍ଦେଶ୍ୟରେ OESMA ଲାଗୁ କରାଯାଇଛି।ଏହି ନିଷ୍ପତ୍ତି ପରେ ସ୍ବାସ୍ଥ୍ୟ ମହଳରେ ପ୍ରତିକ୍ରିୟା ଦେଖାଦେଇଛି। ଏକ ପଟେ ସାଧାରଣ ଲୋକ ଏହାକୁ ସ୍ବାଗତ କରୁଥିବା ବେଳେ, ଅନ୍ୟପଟେ କିଛି କର୍ମଚାରୀ ସଂଘ ଏହାକୁ ନେଇ ଆଲୋଚନା ଆରମ୍ଭ କରିଛନ୍ତି। ତଥାପି, ରୋଗୀ ସେବା ଅବାଧ ରହିବାକୁ ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଉଛି।
