(ଟ୍ରାକ୍ଟର ଧକ୍କାରେ ମୋଟରସାଇକେଲ୍ ଚାଳକ ମୃତ )
ଆଜି ଭୋର୍ ପାଞ୍ଚଟା ସମୟରେ ଜିଲିବା କାଳୀ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ମୋଟରସାଇକେଲ୍ ଚାଳକ ରାସ୍ତାରେ କଚାଡ଼ି ହୋଇ ପଡ଼ିଥିଲା I ମୋଟରସାଇକେଲ୍ ଚାଳକକୁ ସ୍ଥାନୀୟ ଲୋକେ ମୁମୁର୍ଷୁ ଅବସ୍ଥାରେ ୧୦୮ ଆମ୍ବୁଲନ୍ସରେ ଭଞ୍ଜନଗର ମେଡିକାଲ୍ ନେଉଥିବା ବେଳେ ବାଟରେ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା I ଖବରରୁ ଜଣା ପଡ଼ିଛି ଜଗନ୍ନାଥପ୍ରସାଦ ଥାନା ଖମାର ପୋଲି ଗ୍ରାମର ସ୍ଵର୍ଗତ ସଦାଶିବ ରାଉତଙ୍କ ପୁଅ ଶିବରାମ ରାଉତ ତାର ମାମୁ ଘର ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲୁଣ୍ଡାରେ ତା ମାଆ ସୌଦାମିନୀ ରାଉତଙ୍କ ସହ ରହି ଆସୁଥିଲା I ଗତକାଲି ଶିବରାମ କିଛି ସାଙ୍ଗ ସହ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମକୁ ଦଣ୍ଡନାଚ ଦେଖିବାକୁ ଯାଇଥିଲା I ଅନ୍ୟ ସାଙ୍ଗ ମାନେ ରାତିରେ ନାଚ ଦେଖି ଫେରି ଯାଇଥିବା ବେଳେ ଶିବରାମ ଭୋର୍ ଚାରିଟା ପର୍ଯ୍ୟନ୍ତ ଦେଖିଥିଲା I ଭୋର ଚାରିଟା ପରେ ଶିବରାମ ନିଜ ପେସନ୍ ପ୍ଲସ୍ ମୋଟରସାଇକେଲ୍ ଯୋଗେ ଖୁକୁଣ୍ଡିଆରୁ ଭାୟା ଜିଲିବା ଦେଇ ନିଜ ମାମୁ ଘର ଗାଆଁ କୋକଲୁଣ୍ଡା ଫେରୁଥିବା ବେଳେ ତାକୁ ଓଡି-୩୨-କେ,୧୮୫୩ ନମ୍ବର୍ ବିଶିଷ୍ଟ ଏକ ଟ୍ରାକ୍ଟର ସହ ଧକ୍କା ଦେଇଥିଲା I ଫଳରେ ଶିବରାମ ତଳେ ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ତାକୁ ମେଡିକାଲ୍ ନିଆଯାଉଥିବା ବେଳେ ସେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି।
ଖବର ପାଇ ବେଲଗୁଣ୍ଠା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ୧୧୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ଗାଡ଼ି ଚାଳକ କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
