ଟିପିଏସ୍ଓଡିଏଲ୍ ତରଫରୁ ପ୍ରତିଷ୍ଠାତା ଦିବସ ପାଳିତ – ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜୟନ୍ତୀ
ବ୍ରହ୍ମପୁର, ମାର୍ଚ୍ଚ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜୟନ୍ତୀ ସହିତ ପ୍ରତିଷ୍ଠାତା ଦିବସ କମ୍ପାନୀର କର୍ପୋରେଟ କାର୍ଯ୍ୟାଳୟରେ ପାଳନ କରିଛି। ଏହି ଅବସରରେ ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ଦୂରଦୃଷ୍ଟି, ମୂଲ୍ୟବୋଧ, ନେତୃତ୍ୱକୁ ସମ୍ମାନ ଜଣାଯାଇଛି ଯାହା ଆମର ଅନୁଷ୍ଠାନକୁ ପରିଚାଳନା କରିବାରେ ମୁଖ୍ୟ ଭୂମିକା ନେଇ ଆସୁଛି। ଏଥିସହିତ ଆଜିର ଦିନରେ ପାଳନ ହୋଇ ଆସୁଥିବା ସପ୍ତାହବ୍ୟାପୀ ନୈତିକତା ସପ୍ତାହ-୨୦୨୬ ର ମଧ୍ୟ ସଫଳତାର ସହକାରେ ଉଦଯାପନୀ ହୋଇଛି।ଏହି ଅବସରରେ ସମସ୍ତ କର୍ମଚାରୀମାନେ ଏକତ୍ରିତ ହେବା ସହିତ ସତ୍ୟ ନିଷ୍ଠା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ଶାସନ ପ୍ରତି ଥିବା ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। କମ୍ପାନୀ ତରଫରୁ ସପ୍ତାହବ୍ୟାପୀ ବିଭିନ୍ନ ପ୍ରକାରର ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଏଥିସହିତ ଶପଥଗ୍ରହଣ ଉତ୍ସବ ଏବଂ ପରସ୍ପର ମଧ୍ୟରେ ଆଲୋଚନା ମଧ୍ୟ ବିଭିନ୍ନ ଅଫିସରେ କରାଯାଉଥିଲା। ଏହିଭଳି ପଦକ୍ଷେପ ମାଧ୍ୟମରେ କର୍ମଚାରୀମାନଙ୍କୁ ବୃତ୍ତିଗତ ଆଚରଣରେ ସର୍ବୋଚ୍ଚ ମାନଦଣ୍ଡ ପାଳନ କରିବାକୁ ଉତ୍ସାହିତ କରାଯାଇଛି। ସମସ୍ତ କର୍ମଚାରୀମାନେ ବାସ୍ତବ ଜୀବନର କାର୍ଯ୍ୟସ୍ଥଳ ଏବଂ ନୈତିକ ନିଷ୍ପତ୍ତି ଗ୍ରହଣ ବାବଦରେ ଆଲୋଚନାରେ ଭାଗ ନେଇଥିଲେ। ଏଭଳି ଅଧିବେଶନ ଉତ୍ତରଦାୟିତ୍ୱ ଏବଂ ପାରସ୍ପରିକ ବିଶ୍ବାସକୁ ଅନୁଷ୍ଠାନ ଭିତରେ ଦୃଢ଼ କରିବା ଦିଗରେ ବିଶେଷ ଭାବରେ ସହାୟକ ହେବ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର କର୍ମଚାରୀଙ୍କ ଅଂଶଗ୍ରହଣ ଟିପିଏସ୍ଓଡିଏଲର ଦୃଢ଼ ନୈତିକ ମୂଲ୍ୟବୋଧ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ନୈତିକତା ସପ୍ତାହର ଉଦଯାପନ ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଦୂରଦୃଷ୍ଟି ସମ୍ପନ୍ନ ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଧୁନିକ କର୍ପୋରେଟ ଜଗତରେ ନୈତିକତାର ଆବଶ୍ୟକତା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ। ସେ କହିଛନ୍ତି, “ନୈତିକତା କେବଳ ନୀତି ନିୟମ ତଥା ନଥିପତ୍ରରେ ସୀମିତ ନୁହେଁ। ଏହା ଆମର ଦୈନନ୍ଦିନ ଜୀବନର ଅଭ୍ୟାସର ଏକ ପ୍ରତିଫଳନ। ଟିପିଏସ୍ଓଡିଏଲରେ ଆମେ ନେଉଥିବା ପ୍ରତିଟି ନିଷ୍ପତ୍ତି ଆମର ଉପଭୋକ୍ତା ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ଥିବା ବିଶ୍ୱାସକୁ ସୁନିଶ୍ଚିତ କରେ। ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ, ମାତ୍ର ନୀତିଗତ ମୂଲ୍ୟବୋଧ ହିଁ ଆମର ଦୀର୍ଘକାଳୀନ ସଫଳତାକୁ ନିର୍ଦ୍ଧାରଣ କରିଥାଏ” ଏହି ଅବସରରେ ଟିପିଏସ୍ଓଡିଏଲ୍ ତରଫରୁ ଟାଟା ସ୍ୱେଚ୍ଛାସେବୀ ସପ୍ତାହ -୨୪ ଆରମ୍ଭ କରାଯାଇଛି। ଯେଉଁଥିରେ ମାସବ୍ୟାପୀ ସମଗ୍ର ଦକ୍ଷିଣ ଓଡିଶାରେ ବିଭିନ୍ନ ଅଭିଯାନ କରାଯିବ। କର୍ମଚାରୀମାନେ ସମୁଦାୟର ମଙ୍ଗଳ ପାଇଁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବେ। ଯେପରିକି ଶିକ୍ଷା, ସ୍ଥାୟୀ ପରିବେଶ ଗଠନ ଏବଂ ସାମାଜିକ ମଙ୍ଗଳ ଇତ୍ୟାଦି। ଯାହା ସମୁଦାୟ ସହିତ ସମ୍ପର୍କକୁ ଦୃଢ଼ କରିବା ଦିଗରେ ବିଶେଷ ଭାବରେ ସହାୟକ ହେବ ଏବଂ ପ୍ରତିଷ୍ଠାତାଙ୍କ ଦୂରଦୃଷ୍ଟି ତଥା ଦେଶ ଗଠନରେ ଏକ ଦାୟିତ୍ୱବଦ୍ଧ ଉଦ୍ୟୋଗର ଯୋଗଦାନକୁ ସାଧିତ କରିବ।ଏହି ଅବସରରେ ଟିପିଏସ୍ଓଡିଏଲର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ କର୍ମଚାରୀମାନେ ଯୋଗ ଦେଇଥିଲେ।
