ଟିପିଏସ୍ଓଡିଏଲ୍ ତରଫରୁ ଛାତ୍ରବୃତ୍ତି ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମହିଳା ସଶକ୍ତିକରଣ ଦିଗରେ ଅଭିନବ ପଦକ୍ଷେପ- ଛାତ୍ରବୃତ୍ତି ମାଧ୍ୟମରେ ପ୍ରଯୁକ୍ତିବିଦ୍ୟାକୁ ସମର୍ଥନ- ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଟିପିଏସ୍ଓଡିଏଲର ଭିନ୍ନ ପ୍ରୟାସ
ବ୍ରହ୍ମପୁର, ଅପ୍ରେଲ ୨୦୨୬ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ, ସମୁଦାୟର ମଙ୍ଗଳ ଏବଂ ଯୁବ ଶକ୍ତିକୁ ସଶକ୍ତ କରିବା ଦିଗରେ ଥିବା ତାର ପ୍ରତିବଦ୍ଧତାକୁ ଦୋହରାଇଛି । ଏହି କ୍ରମରେ ଦକ୍ଷିଣ ଓଡ଼ିଶାର ୩୦ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଯାହା ସେମାନଙ୍କୁ ସେମାନଙ୍କର ଶୈକ୍ଷିକ ଯାତ୍ରାରେ ବିଶେଷ ଭାବରେ ସହାୟକ ହେବ । କମ୍ପାନୀ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ଏକ ଭବିଷ୍ୟତ ପ୍ରସ୍ତୁତ ପ୍ରତିଭା ବିକଶିତ କରିବା ଦିଗରେ ଏବଂ ଆର୍ଥିକ ଓ ଅବହେଳିତ ବର୍ଗଙ୍କୁ ସଶକ୍ତ କରିବା ପ୍ରତି ଥିବା ସଂକଳ୍ପକୁ ଦର୍ଶାଏ । ଛାତ୍ରବୃତ୍ତି ପାଇଁ ଚୟନ ହୋଇଥିବା ସମସ୍ତ ଛାତ୍ରୀଛାତ୍ରମାନେ ବିଭିନ୍ନ ସରକାରୀ ପଲିଟେକନିକ ଏବଂ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ରେ ଡିପ୍ଲୋମା ଏବଂ ଆଇଟିଆଇ ପାଠ୍ୟକ୍ରମର ବିଭିନ୍ନ ବିଭାଗରେ ଅଧ୍ୟୟନରତ ଅଛନ୍ତି । ଏହି ଛାତ୍ରବୃତ୍ତି ପଦକ୍ଷେପ ମାଧ୍ୟମରେ ପ୍ରାୟ ୮୦ଟି ଆବେଦନ ଆସିଥିବା ବେଳେ ତନ୍ମଧ୍ୟରୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ୩୦ଜଣ ଛାତ୍ରୀଛାତ୍ରଙ୍କୁ ଟିପିଏସ୍ଓଡିଏଲ୍ ତରଫରୁ ଚୟନ କରାଯାଇଥିଲା । ଏହି ଛାତ୍ରବୃତ୍ତି ପ୍ରଦାନର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରୟୁକ୍ତିବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ଏବଂ ଉତ୍ସାହିତ କରିବା ।ଏହି ଅବସରରେ ଟିପିଏସ୍ଓଡିଏଲ୍ ତରଫରୁ ୩୩ଜଣ ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି) ର ମହିଳା, ଯେଉଁମାନେ ଟିପିଏସ୍ଓଡିଏଲର ଅନୋଖା ଧାଗା ସେଣ୍ଟରରେ ସିଲାଇ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ପ୍ରଶିକ୍ଷଣ ସେମାନଙ୍କୁ ସ୍ୱାବଲମ୍ବୀ ହେବା ଏବଂ ଆର୍ଥିକ ସ୍ତରରେ ସଶକ୍ତ କରିବା ଦିଗରେ ବିଶେଷ ଭାବରେ ସହାୟକ ହେବ ।
ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ଆମେ ଆମର ସିଏସ୍ଆର୍ କାର୍ଯ୍ୟକ୍ରମ ଜରିଆରେ ବହୁ ପଦକ୍ଷେପ ଗ୍ରହଣ କରୁଛୁ । ଏହି ଛାତ୍ରବୃତ୍ତି ପଦକ୍ଷେପ ମାଧ୍ୟମରେ ଛାତ୍ରୀଛାତ୍ରମାନେ ଅର୍ଥପୂର୍ଣ୍ଣ ଭାବରେ ଉପକୃତ ହେଉଛନ୍ତି । ଚୟନ ହୋଇଥିବା ଛାତ୍ରୀଛାତ୍ରମାନେ ଆମ ଦେଶର ଭବିଷ୍ୟତ ଅଟନ୍ତି । ମୁଁ ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜଣାଉଛି । ଆମେ ସେବା ଯୋଗାଉଥିବା ସମୁଦାୟର ମଙ୍ଗଳ ପ୍ରତି ଆମେ ପ୍ରତିବଦ୍ଧ । ବିଶେଷକରି ସମାଜର ଶେଷ ଧାଡ଼ିରେ ଥିବା ଲୋକର ମଙ୍ଗଳ ପାଇଁ ଆମେ ସଂକଳ୍ପବଦ୍ଧ । ସିଲାଇ ମେସିନ ମାଧ୍ୟମରେ ପ୍ରଶିକ୍ଷଣ ଦେବା ଭଳି ଅଭିଯାନ ଜରିଆରେ ଆମେ ନିଯୁକ୍ତି ସୃଷ୍ଟି କରିବା ସହିତ ମହିଳାମାନଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖିଛୁ” ।ଶ୍ରୀ ସୁନୀଲ ସିଂହ, ନିର୍ଦ୍ଦେଶକ, ଟିପିଏସ୍ଓଡିଏଲ୍ ଏହି ଅବସରରେ କହିଛନ୍ତି, “ମୁଁ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଉଛି । ତୁମେ ମାନେ ସମସ୍ତେ ଏବେ ଯୁବାବସ୍ଥା ତଥା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛ । ବର୍ତ୍ତମାନର ଡିଜିଟାଲ ଯୁଗରେ ବହୁ ବାଧା ରହିଛି । କିନ୍ତୁ ତୁମମାନଙ୍କର ତ୍ୟାଗ ଏବଂ ସମର୍ପଣ ଆଜି ଏଇ ଜାଗାରେ ତମମାନଙ୍କୁ ପହଞ୍ଚାଇଛି । ତୁମର ପ୍ରଥମ ପ୍ରାଥମିକତା ହେଉଛି ତୁମର ସ୍ୱାସ୍ଥ୍ୟ ଏବଂ ଦ୍ୱିତୀୟତଃ ଶିକ୍ଷା । ଆମେ ଏହି ଅବସରରେ ସମୁଦାୟର ସେବା ଏବଂ ଆକାଂକ୍ଷାକୁ ସମର୍ଥନ କରିପାରିଥିବାରୁ ଗର୍ବିତ ଅଟୁ” ।
ଛାତ୍ରବୃତ୍ତି ପାଇଥିବା ଦେବାଂଶୁ ପଣ୍ଡା(୨୦), ବ୍ରହ୍ମପୁର ସରକାରୀ ଶିଳ୍ପ ଅନୁଷ୍ଠାନରେ ଇଲେକ୍ଟ୍ରିସିଆନ ବିଭାଗର ଦ୍ୱିତୀୟ ବର୍ଷର ଅଧ୍ୟୟନରତ ଛାତ୍ର କହିଛନ୍ତି, “କୋଭିଡ ସମୟରେ ମୁଁ ମୋର ବାପା, ମାଙ୍କୁ ହରାଇଛି । ବର୍ତ୍ତମାନ ପଢ଼ୁଥିବା ପାଠରେ ମୋତେ ଏଇ ଛାତ୍ରବୃତ୍ତି ବହୁତ ସହାୟକ ହେବ । ଧନ୍ୟବାଦ, ଟିପିଏସ୍ଓଡିଏଲ୍” । ଏହିପରି ପଦକ୍ଷେପ ମାଧ୍ୟମରେ, ଟିପିଏସ୍ଓଡିଏଲ୍ ଶିକ୍ଷା, ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣରେ ବିନିଯୋଗ କରି ସମାବେଶୀ ବିକାଶ ପ୍ରତି ନିଜର ଉତ୍ସର୍ଗୀକୃତ ପ୍ରଦର୍ଶନ ଜାରି ରଖିଛି । କମ୍ପାନୀର ସିଏସଆର ବିଭାଗ ତରଫରୁ ନିଆଯାଉଥିବା ପ୍ରୟାସ ପ୍ରତ୍ୟେକଙ୍କୁ ଆତ୍ମନିର୍ଭରଶୀଳ ହେବା ଏବଂ ସମାଜରେ ସକରାତ୍ମକ ଅବଦାନ ପ୍ରଦାନ କରିବାକୁ ସକ୍ଷମ କରି ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।
