ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଦିଶା’ ସମାବର୍ତ୍ତନ ଉତ୍ସବ: ୫୧୦ ଗ୍ରାମୀଣ ମହିଳା ସାଜିଲେ ଦକ୍ଷ ନେତୃତ୍ୱ

ଟାଟା ଷ୍ଟିଲ୍ ଫାଉଣ୍ଡେସନର 'ଦିଶା' ସମାବର୍ତ୍ତନ ଉତ୍ସବ: ୫୧୦ ଗ୍ରାମୀଣ ମହିଳା ସାଜିଲେ ଦକ୍ଷ ନେତୃତ୍ୱ

ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଦିଶା’ ସମାବର୍ତ୍ତନ ଉତ୍ସବ: ୫୧୦ ଗ୍ରାମୀଣ ମହିଳା ସାଜିଲେ ଦକ୍ଷ ନେତୃତ୍ୱ

ବ୍ରହ୍ମପୁର, ୯.୦୧.୨୦୨୬: ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ମଧ୍ୟରେ ନେତୃତ୍ୱ ମନୋଭାବ ଜାଗ୍ରତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍) ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ‘ଦିଶା’ କାର୍ଯ୍ୟକ୍ରମର ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଫଳତାର ସହ ନେତୃତ୍ୱ ପ୍ରଶିକ୍ଷଣ ଶେଷ କରିଥିବା ୫୧୦ ଜଣ ଗ୍ରାମୀଣ ମହିଳାଙ୍କୁ ସମ୍ମାନିତ କରାଯାଇଛି।କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି. ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ମହିଳାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ, ଏକ ସମୃଦ୍ଧ ସମାଜ ଗଠନ ପାଇଁ ମହିଳାମାନଙ୍କର ନେତୃତ୍ୱ ଓ ସକ୍ରିୟ ଅଂଶଗ୍ରହଣ ଏକାନ୍ତ ଆବଶ୍ୟକ।

ଏହାସହ ଟାଟା ଷ୍ଟିଲ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍‌ର ମୁଖ୍ୟ ଶ୍ରୀ ସୌରଭ ସୁଗନ୍ଧ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମୀଣ ବିକାଶରେ ଏହି ମହିଳାମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।ଟିଏସଏଫ୍ ପକ୍ଷରୁ ଆୟୋଜିତ ଏହି ‘ଦିଶା’ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି,୫ ବର୍ଷ ମଧ୍ୟରେ ୬୦୦୦ ମହିଳାଙ୍କୁ ସାମାଜିକ, ରାଜନୈତିକ ଏବଂ ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ କରିବା। ଏପର୍ଯ୍ୟନ୍ତ ପ୍ରାୟ ୫,୭୦୦ ମହିଳା ପ୍ରଶିକ୍ଷଣ ପାଇଥିବା ବେଳେ ୪୭୫୦ ମହିଳା ଓଡ଼ିଶା, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି।

ମହିଳାମାନଙ୍କୁ ଶାସନ ପ୍ରକ୍ରିୟା, ଯୋଗାଯୋଗ କୌଶଳ ଏବଂ ଡିଜିଟାଲ୍ ସାକ୍ଷରତା ଉପରେ ଶିକ୍ଷା ପ୍ରଦାନ କରାଯାଉଛି। ଚଳିତ ବର୍ଷ ଗୋପାଳପୁର, କଳିଙ୍ଗନଗର, ମେରାମଣ୍ଡଳୀ, ସୁକିନ୍ଦା ଓ ବ୍ରାହ୍ମଣୀପାଳ ଅଞ୍ଚଳର ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଏହି ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଜେଣ୍ଡର ଏବଂ କମ୍ୟୁନିଟି ଏଣ୍ଟରପ୍ରାଇଜ୍ ମୁଖ୍ୟ ସ୍ମିତା ବର୍ମା, ଗୋପାଳପୁର ୟୁନିଟ୍ ମୁଖ୍ୟ ଜୟନ୍ତ କୁମାର ତ୍ରିପାଠୀଙ୍କ ସମେତ ଫାଉଣ୍ଡେସନ ଏବଂ ଟାଟା ଷ୍ଟିଲ୍ ଏସ୍ଇଜେଡ୍ ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ସମାବର୍ତ୍ତନ ଉତ୍ସବର ମୂଳମନ୍ତ୍ର ଥିଲା “ସମାନତା ଭିତ୍ତିକ ସମାଜ ଗଠନ”। ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏହି ପ୍ରୟାସ ଗ୍ରାମାଞ୍ଚଳର ମହିଳାମାନଙ୍କୁ କେବଳ ସ୍ୱାବଲମ୍ବୀ କରୁନାହିଁ, ବରଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ନିଷ୍ପତ୍ତି ନେବାରେ ସମର୍ଥ କରୁଛି।