ଜିଲ୍ଲା ପ୍ରଶାସନ ଦ୍ବାରା ଉଦ୍ଧାର ହେଲେ 6 ଜଣ ନାବାଳକ ଅସହାୟ ଶିଶୁ

ଜିଲ୍ଲା ପ୍ରଶାସନ ଦ୍ବାରା ଉଦ୍ଧାର ହେଲେ 6 ଜଣ ନାବାଳକ ଅସହାୟ ଶିଶୁ

ଜିଲ୍ଲା ପ୍ରଶାସନ ଦ୍ବାରା ଉଦ୍ଧାର ହେଲେ 6 ଜଣ ନାବାଳକ ଅସହାୟ ଶିଶୁ

ଗଜପତି (ମନୋଜ ପାଢ଼ୀ)- ଅତି ଦୟନୀୟ ଅବସ୍ଥାରେ 6 ଜଣ ଶିଶୁ ରହୁଥିବା ଖବରପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ଶକ୍ତି ସଦନର କର୍ମଚାରୀମାନେ ଶିଶୁ ମାନଙ୍କୁ ଠାବ କରିଥିଲେ । ପରବର୍ତ୍ତୀ ସମୟରେ ଚାଇଲ୍ଡ ହେଲ୍ପଲାଇନର 2 ଜଣ କର୍ମଚାରୀ ଓ ୱାନଷ୍ଟପ୍ ସେଣ୍ଟରର ଜଣେ କର୍ମୀ ସେମାନଙ୍କ ନିକଟକୁ ପହଞ୍ଚିଥିଲେ । ଏହାପରେ ଉକ୍ତ ଶିଶୁ ମାନଙ୍କୁ ସେଠାରୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଇଥିଲେ । ଶିଶୁ ମାନଙ୍କର ବିଷୟରେ ସମସ୍ତ ବିଷୟ ଓ ଉଦ୍ଧାର କରିଥିବା କର୍ମଚାରୀଙ୍କ ଠାରୁ ଅବଗତ ହେଲା ପରେ 6 ଜଣ ଶିଶୁମାନଙ୍କ ମଧ୍ୟରୁ 3ଜଣ 2 ବର୍ଷରୁ କମ୍ ହୋଇଥିବାରୁ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରକୁ ଓ ଅନ୍ୟ 3 ଜଣ ଶିଶୁଙ୍କୁ ଉତ୍କଳବାଳା ଶ୍ରମରେ ଥଇଥାନ କରାଇଥିଲେ । ଉଦ୍ଧାର ହୋଇଥିବା 6 ଜଣ ଶିଶୁମାନଙ୍କ ମଧ୍ୟରୁ 4 ଜଣ ଶିଶୁ ରାମଗିରି ଅଞ୍ଚଳର ଯାହାଙ୍କର ପିତା ମାଙ୍କୁ ଛାଡି ଅନ୍ୟତ୍ର ବିବାହ କରି ରହୁଛନ୍ତି ।

ଯାହା ଫଳରେ ମା ମହେନ୍ଦ୍ରଗଡର ଏକ ବ୍ୟକ୍ତିଙ୍କ ଘରେ କାମ କରି ଗୁଜାରଣ ମେଣ୍ଟାଉଥିଲେ । ସେ ଯେଉଁ ଅର୍ଥ ରୋଜଗାର କରୁଥିଲେ ପିଲାମାନଙ୍କୁ ପାଠ ପଠାଇବା ଓ ସେମାନଙ୍କର ଯତ୍ନ ସଠିକ୍ ଭାବେ ନେଇପାରୁନଥିଲେ । ଅନ୍ୟ 2ଟି ଶିଶୁ ମୋହନା ଅଞ୍ଚଳର ଅଟନ୍ତି । ସେମାଙ୍କର ପିତା ମଦ୍ୟପାନ କରି ନିଜ ସ୍ତ୍ରୀ ଓ ପିଲାମାନଙ୍କର କୌଣସି ଦେଖାରଖା କରୁନଥିଲେ । ଯାହା ଫଳରେ ମା ନିଜର ପିଲାଙ୍କ ଯତ୍ନ ନେଇପାରୁନଥିଲେ । ଏପରି ଅବସ୍ଥାରେ 6 ଜଣ ଶିଶୁ ଅବହେଳିତ ଅବସ୍ଥାରେ ରହିଥିଲେ ଏବଂ ଏମାନଙ୍କୁ ଉଦ୍ଧାର କରାଯାଇଛି । ଏହି 6 ଜଣ ପିଲାଙ୍କ ଯତ୍ନ ସୁରକ୍ଷା ଓ ଶିକ୍ଷାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଲିଖିତ ବିବୃତି ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।