ଜଳ, ଜଙ୍ଗଲ, ଜମି ର ସୁରକ୍ଷା ତଥା ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଲାଞ୍ଜିଗଡ଼ରେ ବେଦାନ୍ତ ବିରୋଧୀ ବିଶାଳ ସମାବେଶ କରାଯିବ ବହୁଜନ ସମାଜ ପାର୍ଟି
ରାୟଗଡ ( info media): ରାୟଗଡା ସ୍ଥାନୀୟ ହୋଟେଲ ତେଜସ୍ଵି ସମ୍ମିଳନୀ ପ୍ରକୋଷ୍ଠରେ ବହୁଜନ ସମାଜ ପାର୍ଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲାଞ୍ଜିଗଡ଼ରେ ବେଦାନ୍ତ କମ୍ପାନୀ ବିରୋଧରେ ବିଶାଳ ବହୁଜନ ସମାବେଶ ଘୋଷଣା କରାଯିବ ବୋଲି ବହୁଜନ ସମାଜ ପାର୍ଟି ପକ୍ଷରୁ କୁହାଯାଇଛି ।ଦଳ ପକ୍ଷରୁ କୁହାଯାଇଛି ଜେ ଆସନ୍ତା ୩୦ ମାର୍ଚ୍ଚ ୨୦୨୬ ତାରିଖରେ ଲାଞ୍ଜିଗଡ଼ରେ ଏହି ବିଶାଳ ସମାବେଶ ଅନୁଷ୍ଠିତ ହେବ। ବେଦାନ୍ତ ଆଲୁମିନା ମୁଖ୍ୟ ଫାଟକ ସମ୍ମୁଖରେ ହେବାକୁ ଥିବା ଏହି ପ୍ରତିବାଦ ସମାବେଶରେ ଦଶ ହଜାରରୁ ଅଧିକ ଲୋକଙ୍କ ଯୋଗଦାନ ଆଶା କରାଯାଇଛି।ସାମ୍ବାଦିକ ସମ୍ମିଳନୀରେ ଦଳର ନେତାମାନେ ଅଭିଯୋଗ କରିଥିଲେ ଯେ, ବେଦାନ୍ତ କମ୍ପାନୀ ଦୀର୍ଘଦିନ ଧରି ସ୍ଥାନୀୟ ଲୋକଙ୍କ ଜମି, ଜଙ୍ଗଲ, ପାଣି ଓ ପ୍ରାକୃତିକ ସମ୍ପଦକୁ ବ୍ୟବହାର କରୁଥିବା ସତ୍ତ୍ୱେ ସେମାନଙ୍କୁ ଯଥୋଚିତ ଚାକିରି ଓ ରୋଜଗାର ସୁଯୋଗ ଦେଇପାରିନାହାନ୍ତି। ଏହାର ଫଳରେ ଅଞ୍ଚଳର ବେକାରୀ ସମସ୍ୟା ଅବିଚ୍ଛିନ୍ନ ରହିଛି ଏବଂ ଲୋକମାନେ ବାହାର ରାଜ୍ୟକୁ ଦାଦନ କାମ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି।ନେତାମାନେ ଆହୁରି କହିଥିଲେ ଯେ, କମ୍ପାନୀର ପ୍ରଦୂଷଣ ଫଳରେ ବାୟୁ, ପାଣି ଓ ପରିବେଶ ଗୁରୁତର ଭାବରେ ପ୍ରଭାବିତ ହେଉଛି, ଯାହା ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ଆଶଙ୍କା ସୃଷ୍ଟି କରୁଛି। ଫ୍ଲାଇଆଶ ବ୍ୟବସ୍ଥାପନାର ଅନିୟମିତତା, ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ, ଏବଂ ପାଣି ବ୍ୟବହାରରେ ନିୟମ ଉଲ୍ଲଂଘନ ନେଇ ମଧ୍ୟ ଗୁରୁତର ଅଭିଯୋଗ ଉଠାଯାଇଛି।ଦଳ ପକ୍ଷରୁ ଏକାଧିକ ଦାବୀ ସାମ୍ନାକୁ ଆଣାଯାଇଛି।
ସେଥିରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି, କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ, ପ୍ରଦୂଷଣ ନିୟନ୍ତ୍ରଣ, ଗ୍ରୀନ୍ବେଲ୍ଟ ବିକାଶ, ପାନୀୟ ଜଳ ବ୍ୟବସ୍ଥା, ସ୍ଥାନୀୟ ଠିକାଦାରଙ୍କୁ ପ୍ରାଥମିକତା, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ଭଳି ଦାବୀ ଅନ୍ତର୍ଭୁକ୍ତ ଅଟେ।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସରୋଜ କୁମାର ନାୟକ, ରାଜ୍ୟ ପ୍ରଭାରୀ ଜିତୁ ଯାକକା, ରାଜ୍ୟ ସାଧାରଣ ସମ୍ପାଦକ ଗଙ୍ଗାଧର ପୁଆଲା, ରାଜ୍ୟ ସଂପାଦକ ଦେବୀ ଚରଣ ଭାଟି, ରାୟଗଡା ଜିଲ୍ଲା ପ୍ରଭାରୀ ରାମଦାସ ଟ୍ରାକି, କୋରାପୁଟ ଜିଲ୍ଲା ସଭାପତି ଘନଶ୍ୟାମ ହାଲକା ଓ କଳାହାଣ୍ଡି ଜିଲ୍ଲା ସଭାପତି ସୋମନାଥ ସହିତ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।ଶେଷରେ, ଦଳ ପକ୍ଷରୁ ସମସ୍ତ ସାମାଜିକ ସଂଗଠନ, ଯୁବ ସମାଜ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଦଳମତ ନିର୍ବିଶେଷରେ ବହୁ ସଂଖ୍ୟାରେ ଏହି ସମାବେଶରେ ଯୋଗଦାନ କରି ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
