ଛେଳି ମଡକ ନେଇ ସସପେନ୍ସ

*ଛେଳି ମଡକ ନେଇ ସସପେନ୍ସ*

ଚରିବାକୁ ଯାଇଥିଲେ, ସଂଜକୁ ଘରକୁ ଫେରିଲେ ଓ ହଠାତ୍ ଟଳି ପଡ଼ିଲେ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ଅରେଡା ଗ୍ରାମ ପଞ୍ଚାୟତର ମୁହୂରା ଗ୍ରାମରେ।

ଗତକାଲି ଗାଆଁର ପୁରୁଷୋତ୍ତମ ଷଣ୍ଢ ଙ୍କ ୨୯ ପଟ ଛେଳି ଚରିବାକୁ ଯାଇଥିଲେ।ଗାଁର ଅନ୍ୟମାନଙ୍କ ସହ ସବୁ ଛେଳି ଚରିଥିଲେ। ସନ୍ଧ୍ୟାରେ ଘରକୁ ଫେରିବା ପରେ ହଠାତ୍ ଗୋଟିଏ ଗୋଟିଏ ଛେଳି ତଳେ ଗଡି ପଡ଼ିଲେ। ପରିବାର ଲୋକେ ଦେଖିଲା ବେଳକୁ ୧୪ ପଟ ଛେଳି ମରି ଯାଇଛନ୍ତି। କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ନ ଦେଖାଇ ଏତେ ଛେଳି ମରିଯିବା ପରିବାର ଲୋକଙ୍କୁ ହତବିମ୍ୱ କରି ପକାଇଛି। ପରିବାର ଲୋକଙ୍କ କହିବା ଅନୁସାରେ ସବୁ ଛେଳି ସୁସ୍ଥ ଥିଲେ ଓ କାଲି ପ୍ରାଣୀ ଚିକିତ୍ସା କେନ୍ଦ୍ର ତରଫରୁ ଗାଁର ସବୁ ଛେଳି ଗାଈଙ୍କ’ ସ୍ବାସ୍ଥ୍ୟ ଚିକିତ୍ସା କରାଯାଇଥିଲା। ପରେ ପୁରୁଷୋତ୍ତମଙ୍କ କାକି ରସତୁଲ୍ଲା ଷଣ୍ଢ ଅନ୍ୟ ମାନଙ୍କ ସହ ଛେଳି ଚରାଇବାକୁ ନେଇଥିଲେ। ସବୁ ଛେଳି ଗାଈ ଚରିବା ସମୟରେ ସ୍ଵାଭାବିକ ଅବସ୍ଥାରେ ଥିଲେ। କିନ୍ତୁ ଘରକୁ ଆସିଲା ପରେ ହଠାତ୍ ଚଉଦଟି ଛେଳି ମରି ଯାଇଥିଲେ। ପୁରୁଷୋତ୍ତମ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଓ ଏତେ ଛେଳି ମରିଯିବା ପରେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ି ଯାଇଛି। ସବୁ ମୃତ ଛେଳିର ହିସାବ ତିନି ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ହିସାବ କରାଯାଉଛି। ସେହିପରି ପୁରୁଷୋତ୍ତମଙ୍କ କାକା ମୁକୁନ୍ଦଙ୍କ ପଟେ ବଳଦ ମଧ୍ୟ ସେହି ସମୟରେ ହଠାତ୍ ମରି ଯାଇଛି। କିଛି ଦିନ ତଳେ ସେ ଚାଳିଶି ହଜାର ଟଙ୍କା ଦେଇ ଏକ ଯୋଡ଼ି ବଳଦ କିଣି ଥିବା ବେଳେ ପଟେ ବଳଦ ମରିଯିବା ପରେ ସେ ଅସହାୟ ହୋଇ ପଡିଛନ୍ତି। ଏବେ ଚାଷ ସମୟ ଆସିଥିବା ବେଳେ କେମିତି ଚାଷ କାର୍ଯ୍ୟ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ଉଭୟେ ସରକାରୀ ସହଯୋଗ ପାଇଁ ନିବେଦନ କରିଛନ୍ତି। ଏନେଇ ପୁରୁଷୋତ୍ତମ ଖଡ଼ିଆଳ ପୁଲିସରେ ଅଭିଯୋଗ କରିବା ସହ ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଜଣାଇଥିଲେ। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ ଶେଠ୍ ଙ୍କ ନେତୃତ୍ଵରେ ଏ ଡି ଭି ଓ ଡି ସି ବାଲକୃଷ୍ଣ ଦ୍ବିବେଦୀ, ବି ଭି ଓ ଖଡ଼ିଆଳ ସଂଗ୍ରାମ କେଶରୀ ବେହେରା, ଭି ଟି ଖା ପିତାମ୍ବର ଧରୁଆ, ଭି ଟି ବାଦି ରମେଶ ଚନ୍ଦ୍ର ପାଣିଗ୍ରାହୀ, କମଳ ଲୋଚନ ମାଝୀ, ନୀଳାମ୍ବର ସୁନା ଓ ଦୁର୍ଯ୍ୟୋଧନ ରଣା ଆସି ତଦନ୍ତ କରିଛନ୍ତି। ସବୁ ପ୍ରାଣୀଙ୍କ ପୋଷ୍ଟ ମର୍ଟମ ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ ଓ ଏହି ପରିବାରକୁ ସହାୟତା ପାଇଁ ସରକାରଙ୍କୁ ଜଣାଇବେ ବୋଲି ଶ୍ରୀଯୁକ୍ତ ଶେଠ୍ କହିଛନ୍ତି।

Leave a Reply

Your email address will not be published. Required fields are marked *