ଗ୍ରାମକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଏକ ଲକ୍ଷ ଟଙ୍କା ବିଭାଗୀୟ ଅଧିକାରୀ ମାଗୁଥିବା ଅଭିଯୋଗ।

ଗ୍ରାମକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଏକ ଲକ୍ଷ ଟଙ୍କା ବିଭାଗୀୟ ଅଧିକାରୀ ମାଗୁଥିବା ଅଭିଯୋଗ।

ଗଜପତି (ମନୋଜ ପାଢ) ତା- ୦୮/୧୧/୨୦୨୫,ଏପରି ଏକ ଅଭିଯୋଗ ଆସୁଛି ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ତରବଙ୍ଗ ଗ୍ରାମରୁ। ଜିଲ୍ଲା ସଦରମହକୁମା ଠାରୁ ୧୧୦ ଓ ବ୍ଲକ ସଦରମହକୁମା ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ପାହାଡ଼ ଜଙ୍ଗଲ ଘେରା ମଧ୍ୟରେ ଅବସ୍ଥିତ ତରବଙ୍ଗ ଗ୍ରାମ। ଏଠି ୧୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି। କିନ୍ତୁ ଏଯାଏଁ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ପାରିନାହିଁ। ସନ୍ଧ୍ୟା ହେଲେ ଘନ ଅନ୍ଧାରରେ ଅଭିଶପ୍ତ ଜୀବନ କାଟୁଛନ୍ତି ଗ୍ରାମର ଶହେରୁ ଉର୍ଦ୍ଧ୍ବ ପରିବାର। ବିଦ୍ୟୁତ୍ ସଂଯୋଗ ନଥିବାରୁ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗ୍ରାମବାସୀ। ସରକାରଙ୍କ ପକ୍ଷରୁ ଗାଁରେ ପାଣି ଟାଙ୍କି ବସିଛି କିନ୍ତୁ ପାଣି ଉଠାଇବା ମୋଟରକୁ ବିଦ୍ୟୁତ ସଂଯୋଗ ନାହିଁ, ଏଠାକାର ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୁପାନ୍ତରିତ କରାଯାଇଛି ହେଲେ ବିଦ୍ୟୁତ୍ ସଂଯୋଗ ନଥିବାରୁ ଏଲଇଡି ଟିଭି ମାଧ୍ୟମରେ ପିଲାଙ୍କ ପାଠ ପଢିବା ସ୍ବପ୍ନ ଅଧୁରା ରହିଯାଇଛି। ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈଣସି ସୁଫଳ ମିଳୁ ନଥିବାରୁ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳଯାଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।‎ ସରକାରଙ୍କ ପକ୍ଷରୁ କିଛି ବର୍ଷ ପୂର୍ବେ ସୋଲାର ପ୍ୟାନେଲ ମାଧ୍ୟମରେ ଗ୍ରାମର ସମସ୍ତ ଘରକୁ ଆଲୁଅ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ଉକ୍ତ ସୋଲାର ବ୍ୟବସ୍ଥା ଖରାପ ହୋଇ ପଡ଼ିରହିଛି। ଗାଁ ନିକଟ ଦେଇ ଯାଇଛି ୧୧ କେଭି ବିଦ୍ୟୁତ୍ ସରବରାହ ଓ ଗାଁ ନିକଟରେ ଏକ ଟ୍ରାନ୍ସଫରମର ମଧ୍ୟ ରହିଛି କିନ୍ତୁ ଆଜି ଯାଏଁ ଗ୍ରାମକୁ ହୋଇ ନାହିଁ ବିଦ୍ୟୁତ ସଂଯୋଗ। ବିଦ୍ୟୁତ୍ ସଂଯୋଗ ପାଇଁ ଏକ ଲକ୍ଷ ଟଙ୍କା ଦେବାକୁ ବିଭାଗୀୟ ଯନ୍ତ୍ରୀ ଗ୍ରାମବାସୀଙ୍କୁ ମାଗୁଥିବା ବେଳେ, ଟଙ୍କା ଦେଇ ନପାରିବାରୁ ବିଦ୍ୟୁତ ସଂଯୋଗ କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେବେ ପୁଣିଥରେ ଯାଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ। ଅତିରିକ୍ତ ଜିଲ୍ଲାପାଳ ଯଥା ଶୀଘ୍ର ବିଦ୍ୟୁତ ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ତେବେ ପ୍ରଶାସନ କେବେ ଓ କେମିତି ଗ୍ରାମର ଏ ସମସ୍ୟା ଦୂରକରିବେ ସେହି ସମୟକୁ ଅପେକ୍ଷା।