ଗୋଷାଣୀରେ ବ୍ଲକ୍ସ୍ତରୀୟ ମହେନ୍ଦ୍ରତନୟା ମହୋତ୍ସବ ।
ଆର,ଉଦୟଗିରି(ମନୋଜ ପାଢ଼ୀ) -: ଗୋଷାଣୀ ବ୍ଳକ ସଦରମହକୁମାସ୍ଥିତ ମିସନ କାଫେ ସମୁଖ ପଡ଼ିଆରେ ଆୟୋଜିତ ଦୁଇଦିନିଆ ମହେନ୍ଦ୍ରତନୟା ମହୋତ୍ସବକୁ ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ ଉଦ୍ଘାଟନ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ସହକାରୀ ନିର୍ବାହୀଯନ୍ତ୍ରୀ ସସ୍ମିତା କୁମାରୀ ଜେନା, ଆକାଉଣ୍ଟସ ଅଧିକାରୀ ଗଜେନ୍ଦ୍ର ବେହେରା ଏବଂ ଜିଲ୍ଲା ପରିଷଦ ସଭ୍ୟା ନୀଳାବତୀ ପାରିଗା ଯୋଗ ଦେଇଥିଲେ।
ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷାଣୀ ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଅତିଥି ଗଣ ଏହି ଉତ୍ସବ ପାଳନର ତାତ୍ପର୍ଯ୍ୟ ଏବଂ ଗୋଷାଣୀ ବ୍ଲକ ଅଞ୍ଚଳର ବିଭିନ୍ନ କଳା ଏବଂ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଖୋଲା ଯାଇଥିବା ବିଭିନ୍ନ ଷ୍ଟଲ ଗୁଡିକୁ ଅତିଥିମାନେ ପରିଦର୍ଶନ କରିଥିଲେ ଏହାପରେ ବ୍ଲକର ବିଭିନ୍ନ ପୁରପଲ୍ଲୀରୁ ଆସିଥିବା କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେଗୁରାଣ୍ଡି ହାଇସ୍କୁଲର ତ୍ରିଶା ଜେନାଙ୍କ ନେତୃତ୍ବରେ ନୃତ୍ୟକଳା, ଗାରାବନ୍ଧସ୍ଥିତ ସେଣ୍ଟ୍ ଏଣ୍ଡୂ ସ୍କୁଲ ପିଲାଙ୍କ ଦ୍ବାରା ପରିବେଷିତ ସମ୍ବଲପୁରୀ ନୃତ୍ୟ, ଲିଙ୍ଗିପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଲୋକକଳା, ଦେଉଳା ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୋଗ, ଗୁଣୁପୁର ଡ୍ୟାନ୍ସ ଗ୍ରୁପର ମଙ୍ଗଳାଚରଣ ନୃତ୍ୟ ବେଶ ଆକର୍ଷଣୀୟ ଥିଲା। ସନ୍ଧ୍ୟାରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ଗୋବରା ତିରୁପତି ରାଓ ଏବଂ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଗୋଷାଣୀ ଛକ ଦୁର୍ଗାମନ୍ଦିରରେ ଗତକାଲି ଠାରୁ ରହିଥିବା ମଶାଲ ଜ୍ୟୋତିକୁ ପୂଜାର୍ଚ୍ଚନା କରି ମହୋତ୍ସବସ୍ଥଳୀକୁ ଆଣି ସ୍ଥାପନ କରାଯାଇଥିଲା ।

