ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼(info media):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟର ପ୍ରାରମ୍ଭିକ ସ୍ତରରେ ବିପୁଳ ପୋଲିସ ଓ ପ୍ରଶାସନକୁ ନିୟୋଜିତ କରାଯାଇଥିଲା। ହେଲେ ସ୍ଥାନୀୟ ଗ୍ରାମବାସୀ କମ୍ପାନୀର ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ। ଫଳରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମବାସୀ ପୋଲିସକୁ ଅମାନ୍ୟ କରୁଥିବାରୁ ସମସ୍ୟାର ସମାଧାନ ପାଇଁ ପ୍ରଭାବିତ ଅଞ୍ଚଳକୁ ଜିଲାପାଳ ଯାଇଥିବା ସରକାରୀ ଭାବେ କୁହାଗଲା। କିନ୍ତୁ ଦେଖିଲା ବେଳକୁ ଗ୍ରାମକୁ ଯାଇ ସରକାରୀ କର୍ମଚାରୀ ସ୍ଥାନୀୟ ଲୋକଙ୍କଠାରୁ ଜମିପଟ୍ଟା ମାଗିଥିଲେ।ପୋଲିସର କହିବା ଅନୁଯାୟୀ, କଣ୍ଟାମାଳ ଗାଁର ସୁବାସ ସିଂ ମାଝିଙ୍କ ନାଁରେ କୁଆଡ଼େ ୱାରେଣ୍ଟ ରହିଥିଲା। ତେଣୁ ପୋଲିସ ତାଙ୍କୁ ଗିରଫ କରିବାକୁ ଯାଇଥିଲା। ଅପରପକ୍ଷେ କଣ୍ଟାମାଳ ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୋଲିସ ରାତିଅଧିଆ ଗାଁ ଲୋକଙ୍କୁ ଡରାଇବା ପାଇଁ ଆସିଥିଲା। ପୋଲିସ ଗାଁ ଲୋକଙ୍କ ଘରଗୁଡ଼ିକର କବାଟକୁ ଜୋର୍‌ରେ ବାଡ଼େଇଥିଲା। ଲୋକେ କବାଟ ଖୋଲିବା ପରେ ପୋଲିସ ସେମାନଙ୍କୁ ଧମକଚମକ ଦେବା ସହିତ ମାଡ଼ ମାରିଥିଲା। ତେଣୁ ଲୋକେ ଆତ୍ମରକ୍ଷା କରିବାକୁ ଚେଷ୍ଟା କରିଥିଲେ। ପୋଲିସ ସେମାନଙ୍କ ଉପରେ ଟିୟର (ଲୁହବୁହା) ଗ୍ୟାସ୍‌ ଛାଡ଼ିଥିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି। ଗାଁ ଲୋକେ ଆହତ ହୋଇଥିଲେ ହେଁ ଗିରଫ ଭୟରେ ମେଡିକାଲ ଯାଇ ନ ପାରି ଘରେ ଚିକିତ୍ସିତ ହେଉଥିବା କଣ୍ଟାମାଳ ଗ୍ରାମବାସୀ କହିଛନ୍ତି।ବେଦାନ୍ତ କମ୍ପାନୀ ଓ ପ୍ରଶାସନ ସିଜିମାଳି ଖଣିକୁ ରାସ୍ତା କରିବା ପାଇଁ ପଦକ୍ଷେପ ନେଉଥିବାରୁ ଲୋକେ ଭିଟାମାଟି ହରାଇବା ଭୟରେ ଏହାକୁ ବିରୋଧ ଆରମ୍ଭ କରିଥିଲେ। ତେବେ ଏପ୍ରିଲ ୩ ତାରିଖରୁ ଉପଜିଲାପାଳ ଉକ୍ତ ଅଞ୍ଚଳରେ ବିଏନ୍‌ଏସ୍‌ଏସ୍‌ର ଧାରା ୧୬୩ ଲାଗୁ କରିଥିଲେ। ରାୟଗଡ଼ା ଜିଲାପାଳ ମଧ୍ୟ ଅଞ୍ଚଳବାସୀଙ୍କୁ ବୁଝାଶୁଝା କରିବାକୁ ଯାଇଥିଲେ।ତେବେ ଜିଲାପାଳ ଲୋକଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ସେମାନଙ୍କୁ ପଟ୍ଟା ମାଗିବା ଅତି ଦୁଃଖଦ ଘଟଣା ବୋଲି ଅଞ୍ଚଳବାସୀ କହିଛନ୍ତି। ଜିଲାପାଳ ଜିଲାବାସୀଙ୍କର ନା ବେଦାନ୍ତ କମ୍ପାନୀର ବୋଲି ଲୋକେ କହିଛନ୍ତି। ତଥାପି ଜୀବନକୁ ବାଜି ଲଗାଇ ନିଜ ଜମି ପାଇଁ ସିଜିମାଳି ପାହାଡ଼ର ସୁରକ୍ଷାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧନୁତୀର, ଟାଙ୍ଗିଆ ଓ ଠେଙ୍ଗା ଆଦି ଧରି ରାସ୍ତା ନ କରାଇଦେବା ଲାଗି ୨୪ ଘଣ୍ଟା ଜଗି ବସିଛନ୍ତି। ଶାଗବାରି, କଣ୍ଟାମାଳ, ସରାମବାଇ, ବନ୍ତେଜି ସମେତ ପ୍ରାୟ ୮ରୁ ଉର୍ଦ୍ଧ୍ୱ ଗାଁର ଲୋକେ ଏଥିରେ ସାମିଲ ହୋଇଛନ୍ତି। ନିଜ ଜମିର ସୁରକ୍ଷା ପାଇଁ ଦେହରେ ଗୁଳି ବାଜିଲେ ମଧ୍ୟ ଖାଇବୁ ହେଲେ ଜମି କମ୍ପାନୀକୁ ଦେବୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ମିଥ୍ୟା ଆଶ୍ୱାସନା ଦେଖାଇ ଏଭଳି ଖଣି ଖନନ କରିବାକୁ ଆସିଲେ ଅଞ୍ଚଳବାସୀ ବିରୋଧ କରିବେ ବୋଲି ପାହାଡ଼ ପାଦଦେଶରେ ଜଗି ବସିଥିବା ମହିଳାମାନେ କହିଛନ୍ତି।ଶୁକ୍ରବାର ଧରିତ୍ରୀ ଟିମ୍‌ ଶାଗବାରି ଗ୍ରାମକୁ ତଥ୍ୟ ସଂଗ୍ରହ ପାଇଁ ଯାଇଥିବା ବେଳେ ପାହାଡ଼ ପାଦଦେଶରେ ଜଗି ବସିଥିବା ମହିଳା ଓ ପୁରୁଷ କାଠ ନିଆଁ ଲଗାଇ ଭାଲିଆ ପୋଡ଼ି ଖାଉଥିବା ଦେଖିବାକୁ ପାଇଥିଲେ। ସେମାନଙ୍କ ପିଲାମାନେ ମଧ୍ୟ ସେଠାରେ ଜଗି ବସିଥିଲେ। ନିଜ ଘର ଓ ଜମିର ସୁରକ୍ଷା ପାଇଁ ବସିଥିବା ଏହି ଅଞ୍ଚଳବାସୀ ଠିକ୍‌ ଭାବେ ଖାଇବାକୁ ଯାଉ ନ ଥିବା ପ୍ରକାଶ କରିଛନ୍ତି। ତଥାପି ହାର୍‌ ମାନି ନାହାନ୍ତି କି ମାନିବେ ନାହିଁ ବୋଲି କହିଛନ୍ତି। ବର୍ତ୍ତମାନ ସେମାନେ ବେଦାନ୍ତଠାରୁ ନିଜ ଜମିର ସୁରକ୍ଷା ପାଇଁ ଜଗି ବସିଥିବା କାରଣରୁ କାମଧନ୍ଦାକୁ ଯାଇପାରୁନାହାନ୍ତି। ଫଳରେ ପରିବାରର ପେଟପାଟଣାରେ ଅସୁବିଧା ସୃଷ୍ଟି ହେଉଛି। ଏପରିକି ସେମାନଙ୍କ ପିଲାମାନେ ସ୍କୁଲକୁ ଯାଇ ନ ପାରିବାରୁ ପାଠପଢ଼ା ଠପ୍‌ ହୋଇଯାଇଛି। ସେଠାରେ ବର୍ତ୍ତମାନ ପରିସ୍ଥିତି ଏହିଭଳି ହୋଇଛି ଯେ, ଏକୁଟିଆ କେହି ଗାଁ ବାହାରକୁ ଯାଇପାରୁନାହାନ୍ତି। କାରଣ ବାହାରକୁ ଗଲେ ସେମାନଙ୍କୁ ପୋଲିସ ଉଠାଇ ନେବ ଏବଂ ୨୦୨୩ ମସିହାରେ ଏହି ସିଜିମାଳିରେ ହୋଇଥିବା ପୋଲିସର ମିଥ୍ୟା ମାମଲାରେ ଗିରଫ ଓ ନିର୍ଯାତନା ସହିବାକୁ ପଡ଼ିବ ବୋଲି ସେମାନେ ଦୁଃଖରେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଶୁକ୍ରବାର କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲ୍ଲାକା ଉକ୍ତ ଅଞ୍ଚଳ ଗସ୍ତରେ ଯାଇ ପାହାଡ଼ ଜଗିଥିବା ଲୋକଙ୍କ ସହିତ ଆଲୋଚନା କରିଥିଲେ।

ଏହି ଖବରଦାତାଙ୍କୁ ଉପସ୍ଥିତ ଅନେକ ଗ୍ରାମବାସୀ ମନର କଥା କହିବାକୁ ଯାଇ ପୋଲିସ ଏବଂ ପ୍ରଶାସନ କାହିଁକି ଅତ୍ୟଧିକ କମ୍ପାନୀ ତରଫା ହେଉଛନ୍ତି ବୋଲି ପଚାରିଥିଲେ। ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ