ଗଜପତି ପୋଲିସକୁ ମିଳିଛି ବଡ ସଫଳତା- 4ଟି ଚୋରି ମାମଲାର କରିଛି ପର୍ଦ୍ଦାଫାସ10 ତୁଳା ସୁନା ଅଳଙ୍କାର ସହ 9 କେଜି ରୂପା ଏବଂ ନଗଦ 33 ହଜାର ଉଦ୍ଧାର ।
ଗଜପତି,୪.୧.୨୦୨୬(ମନୋଜ ପାଢ଼ୀ) ଗଜପତି ଜିଲ୍ଲାର ଦୁଇଟି ଥାନା ଅଞ୍ଚଳର 4ଗୋଟି ଚୋରୀ ମାମଲାର ପର୍ଦ୍ଦାଫାସ କରିଛି ଗଜପତି ପୋଲିସ୍ । ସହରରେ ଗତ କିଛି ଦିନ ହେବ ଚୋରି ମାମଲା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅନେକ ଚୋରୀ ମାମଲା ମଧ୍ୟରୁ 4ଟି ଚୋରୀ ମାମଲାରେ ଗଜପତି ପୋଲିସକୁ ମିଳିଛି ବଡ ସଫଳତା । କେବଳ ଦୁଇଜଣ ଚୋରି କାଣ୍ଡକରି ଲୋକଙ୍କ ନିଦ ହଜାଇଦେଇଥିଲେ । ଘରେ ତାଲା ପଡିଛି ମାନେ ଚୋରୀ ହେବା ଥୟ । ଏପରି ଲୋକଙ୍କୁ ଭୟଭିତ କରାଇ ଥିଲେ ଧରାପଡିଥିବା ଦୁଇ ଦୁର୍ବୃତ୍ତ । ଜଣେ ମାଷ୍ଟରମାଣ୍ଡ ଟିପିଏସଓଡିଏଲ୍ ର ମିଟର ରିଡର ହିସାବରେ କାମ କରି ଘରକୁ ଘର ବୁଲି ମିଟର ରିଡିଂ ନେଉଥିଲେ । ଏହି ସମୟରେ କାହାଘରେ କେତେ ଦିନ ହେଲା ତାଲା ପଡିଛି, କିଏ କେତେ ଦିନ ହେଲା ଘରେ ନାହିଁ ସବୁ ତଥ୍ୟ ଯୋଗାଡ କରି ବିଭିନ୍ନ ସମୟରେ ଜଣେ ସହଯୋଗୀକୁ ନେଇ କଳାକନା ବୁଲାଉଥିଲେ । ତେବେ ଶେଷରେ ସିସିଟିଭି ଧରାଇଦେଇଛି ଏମାନଙ୍କ ସମସ୍ତ କଳାକନା ବୁଲାଇବାର କାରନାମା ଗୁଡିକୁ । ଏନେଇ ଆଜି ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ପ୍ରଦାନ କରି କହିଛନ୍ତି ଯେ ଧରାପଡିଥିବା ଦୁଇ ଚୋର ପାରଳାଖେମୁଣ୍ଡି ସହରର କଣ୍ଡରା ସାହିର ଦୁର୍ଗାପ୍ରସାଦ ବେଣିଆ (28) ଯିଏକି ଟିପିଏସ୍ଓଡିଏଲ୍ ର ମିଟର ରିଡର ଭାବେ କାର୍ଯ୍ୟରତ ଏବଂ ତାଙ୍କ ସହଯୋଗୀ ସେହି କଣ୍ଡରା ସାହିର ଦେବ ମଣ୍ଡଳ (35) । ଏମାନେ ଗତ 22.06.2025 ତାରିଖରେ ପାରଳାଖେମୁଣ୍ଡି ସହରର ଗଜେନ୍ଦ୍ର ସାହିର ସନ୍ଦୀପ ନାମକ ଜଣେ ବ୍ୟବସାୟୀଙ୍କ ଘରେ ପଶି 10କେଜି ରୂପା ଓ 3 ତୁଳା ସୁନା ଅଳଙ୍କାର ଲୁଟିନେଇଥିଲେ । ସେହିପରି ଗୁରାଣ୍ଡି ଥାନା ଅନ୍ତର୍ଗତ ମଧୁରନାରାୟଣପେଟା ଗ୍ରାମର ଟି.ଲବକୁମାର ନାମକ ଜଣେ ବ୍ୟସାୟୀ 14.11.2025 ତାରିଖରେ ସପରିବାଙ୍କ ସହ ତିରୁପତି ଯାଇଥିଲେ । ତେବେ ତାଙ୍କ ଘରେ ତାଲାପଡିଥିବାର ଦେଖି ଧରାପଡିଥିବା ଦୁର୍ବୃତ୍ତମାନେ ତାଙ୍କ ଘରର ଭେଣ୍ଟିଲେଟର ଭାଙ୍ଗି ପଶି ନଗଦ ଏକଲକ୍ଷ ଟଙ୍କା, 2ତୁଳା ଓଜନର ସୁନା ଅଳଙ୍କାର ସମେତ ରୂପା ସାମଗ୍ରୀ ଚୋରାଇ ନେଇଯାଇଥିଲେ । ଗତ ଡିସେମ୍ବର ମାସ ୧୨ ତାରିଖ ଦିନ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ବାଟଗୌଡ ସାହି ଛକ ନିବାସୀ ବରିଷ୍ଠ ସାମ୍ବାଦିକ ଦ୍ଵିଜେନ୍ଦ୍ର ନାଥ ପାଢ଼ୀଙ୍କ ଘରେ ପରିବାର ଲୋକଙ୍କ ଅନୁପସ୍ଥିତ ସୁଯୋଗ ନେଇ ସନ୍ଧ୍ୟା ୮ଘଣ୍ଟା ସମୟରେ ଘରର ସ୍କାଇ ଲାଇଟ ଭାଙ୍ଗି ଘର ଭିତରକୁ ପଶି ଲକର ଭାଙ୍ଗିବା ସହ କିଛି ସୁନା ଗହଣା ଏବଂ ୨୫ ହଜାର ନଗଦ ଚୋରି ହୋଇଥିବା ନେଇ ଡିସେମ୍ବର ୧୩ ତାରିଖ ଦିନ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ 27.12.2025 ତାରିଖରେ ପାରଳାଖେମୁଣ୍ଡି ସହରର କୁମୁଟି ସାହିର କେ.ନାରାୟଣରାଓଙ୍କ ଘରେ ପଶି 1.5 କେଜି ଓଜନର ରୂପା ସାମଗ୍ରୀ ନଗଦ 40ହଜାର ଟଙ୍କା ଲୁଟି ନେଇଥିଲେ । ତେବେ ସମସ୍ତ ଘଟଣାରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଟିଏ ଘଟଣାର ପରେ ଆଆଉ ଗୋଟିଏ ଘଟଣାରେ ଧରାପଡିଥିବା ଦୁଇ ଚୋର ଚୋରି ଘଟଣା ସାମନାକୁ ଆସିଥିଲା । ତଦନ୍ତ କରିବା ସମୟରେ ସହରରେ ଘଟିଥିବା ଅନ୍ୟ ତିନୋଟି ଘଟଣାର ସମାନ ରୂପକ ଘଟଣା ବିଧି ଦେଖିବାକୁ ମିଳିଥିଲା ପାରଳାଖେମୁଣ୍ଡି ଏବଂ ଗୁରାଣ୍ଡି ପୋଲିସକୁ । ତଦନ୍ତ ବେଳେ ସିସିଟିଭି ଫୁଟେଜ ଓ ଟେକ୍ନୋଲୋଜି ବ୍ୟବହାର କରି ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ସେହି ଦୁଇ ଜଣ ଅଭିଯୁକ୍ତ ହେଲେ ପାରଳାଖେମୁଣ୍ଡି କଣ୍ଡର ସାହିର ଦୁର୍ଗା ପ୍ରସାଦ ବେନିଆ ଓ ଦେବୀ ମଣ୍ଡଳ।ଏମାନଙ୍କ ମଧ୍ୟରୁ ଦୁର୍ଗା ପ୍ରସାଦ ଟିପିଏସ୍ଡ଼ିଏଲ ର ମିଟର ରିଡର ଭାବେ କାର୍ଯ୍ୟରତ ଥିଲେ ମିଟର ରିଡିଙ୍ଗ ନେବା ସମୟରେ ପାରିବାରିକ ଅନୁପସ୍ଥିତି ଘଟଣାକୁ ସଠିକ ରୂପ ଦେବା ପାଇଁ ସମସ୍ତ କୌଶଳ ଅପଣାଇ ଦୁଇଜଣ ଅଭିଯୁକ୍ତ ପାରଳାଖେମୁଣ୍ଡି ସହରରେ ଘଟିଥିବା ୩ ଗୋଟି ଘଟଣା ଏବଂ ଗୁରାଣ୍ଡି ଥାନା ଅନ୍ତର୍ଗତ ଏମ ଏନ ପେଟା ଠାରେ ସଫଳତାର ସହ ଲୁଟ କରିଥିଲେ । ଏହାପରେ ଏହି ଦୁଇ ଅଭିଯୁକ୍ତ ଲୁଟ ସୁନା ଗହଣାକୁ ନେଇ ମୁଥୁଡ ଫାଇନେନ୍ସ କମ୍ପାନୀରେ ବନ୍ଧକ ରଖି ଲକ୍ଷାଧିକ ଟଙ୍କା ଋଣ ନେଇଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି । ତେବେ ଅଭିଯୁକ୍ତ ଙ୍କ ପାଖରୁ ୧୧୪ଗ୍ରାମ ସୁନା, ୯ କିଲୋ ରୁପା, ନଗଦ ୩୩ ହଜାର ଟଙ୍କା, ୨ଟି ମୋବାଇଲ ଫୋନ, ଗୋଟିଏ ହରଲୀ ଡେଭିଡ଼ ସନ ବାଇକ ସହ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ବରିଷ୍ଠ ସାମ୍ବାଦିକଙ୍କ ଘରୁ ଚୋରି ହୋଇଥିବା ପ୍ରାୟ ସମସ୍ତ ଜିନିଷ ଫେରି ପାଇଥିବାରୁ ସାମ୍ବାଦିକ ଦ୍ଵିଜେନ ପାଢ଼ୀ ଗଜପତି ପୋଲିସର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଉପଆରକ୍ଷୀ ଅଧୀକ୍ଷକ ଅମିତାଭ ପଣ୍ଡା, ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୁପତି, ଗୁରାଣ୍ଡି ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ର ପ୍ରମୁଖଙ୍କ ସମେତ ପାରଳାଖେମୁଣ୍ଡି ଓ ଗୁରାଣ୍ଡିଥାନାର ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତଥିଲେ । ଅନ୍ୟପକ୍ଷରେ ଏପରି ବିଦ୍ୟୁତ ମିଟର ରିଡର ଜଣେ ଘରର ତଥ୍ୟ ରଖି ଓ ତାଲାପଡିଥିବାର ଦେଖି କଳାକନା ବୁଲାଉଥିବାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଅଛି । ମିଟର ରିଡରଙ୍କୁ ଏଣିକି ବିଶ୍ବାସକୁ ନେବେ ନା ନାହିଁ ଏପରି ଦ୍ବନ୍ଦରେ ପଡିଛନ୍ତି ବିଦ୍ୟୁତ ଉପଭକ୍ତା ମାନେ ।
ଏନେଇ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା କହିଛନ୍ତି ଯେ ଘରକୁ ଆସୁଥିବା ମିଟର ରିଡର କିମ୍ବା କ୍ଷିର ବିକିବାକୁ ଆସୁଛନ୍ତି, କୋରିୟର ଦେବାକୁ ଆସୁଛନ୍ତି ସେମାନଙ୍କ ପ୍ରତି ସତର୍କତା ରହିବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ଟିପିଏସ୍ଓଡିଏଲ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖାଯିବ ଏବଂ ସେମାନେ ସେମାନଙ୍କ କର୍ମଚାରୀଙ୍କୁ ଉଚିତ ଶିକ୍ଷାଦେଇ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯିବ ।
