ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ିଲା: ମୃତ ଶିଶୁକୁ ଉଚ୍ଚ ଚିକିତ୍ସା ପାଇଁ ସ୍ଥାନାନ୍ତର ଘଟଣାକୁ ନେଇ ଅଭିଯୋଗ

ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ିଲା: ମୃତ ଶିଶୁକୁ ଉଚ୍ଚ ଚିକିତ୍ସା ପାଇଁ ସ୍ଥାନାନ୍ତର ଘଟଣାକୁ ନେଇ ଅଭିଯୋଗ

ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ିଲା: ମୃତ ଶିଶୁକୁ ଉଚ୍ଚ ଚିକିତ୍ସା ପାଇଁ ସ୍ଥାନାନ୍ତର ଘଟଣାକୁ ନେଇ ଅଭିଯୋଗ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଭୀର ସଙ୍କଟରେ ପହଞ୍ଚିଥିବା ଅଭିଯୋଗ ପୁନର୍ବାର ସାମ୍ନାକୁ ଆସିଛି। ଚିକିତ୍ସାଳୟଗୁଡ଼ିକରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭାରି ଅଭାବ ରହିଥିବା ବେଳେ, ସଠିକ୍ ସମୟରେ ଡାକ୍ତର ଉପସ୍ଥିତ ନଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି।ଏହି ପରିପ୍ରେକ୍ଷିତରେ ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ଭାଲିଆସାହି ଡଳକୋଟା ଗ୍ରାମର ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।

ଗ୍ରାମର ସରସ୍ବତୀ ମଣ୍ଡଳଙ୍କ ତିନି ମାସର ଶିଶୁପୁତ୍ର ଗୁରୁତର ଅସୁସ୍ଥ ହେବା ପରେ ରବିବାର ସକାଳେ ତାଙ୍କୁ ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ।ସେଠାକାର ଚିକିତ୍ସକ ଶିଶୁର ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କହି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉଚ୍ଚ ଚିକିତ୍ସା ପାଇଁ ପଠାଇଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ସମୟରେ ଶିଶୁଟିର ମୃତ୍ୟୁ ପୂର୍ବରୁ ଘଟିସାରିଥିବା କଥା ପରିବାରକୁ ଜଣାଇଥିଲେ।ଡାକ୍ତରଙ୍କ ମତାନୁସାରେ, ଶିଶୁଟି ସମ୍ଭବତଃ ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପୂର୍ବରୁ ହିଁ ମୃତ୍ୟୁବରଣ କରିଥିଲା। ଏହା ଜାଣି ମା’ ସରସ୍ବତୀ ମଣ୍ଡଳ ଦୁଃଖରେ ଭାଙ୍ଗି ପଡ଼ିଥିଲେ।ଅତ୍ୟନ୍ତ ଗରିବ ପରିବାରର ସଦସ୍ୟ ହୋଇଥିବା ସରସ୍ବତୀଙ୍କ ସ୍ୱାମୀ ପ୍ରଦୀପ ମଣ୍ଡଳ ବାହାର ରାଜ୍ୟରେ ଦାଦନ ଖଟି ପରିବାର ଚାଲାଉଥିବା ପ୍ରକାଶ ପାଇଛି।

ସରସ୍ବତୀଙ୍କ ଅଭିଯୋଗ ଅନୁସାରେ, ଯଦି ଶିଶୁର ମୃତ୍ୟୁ ଘଟିଥିବା କଥା ଜଣା ଥିଲା, ତେବେ ଅଯଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ହେନସ୍ତା କରାଗଲା।ଅନ୍ୟପକ୍ଷରେ, ଘରକୁ ଫେରିବା ପାଇଁ ଆର୍ଥିକ ସମ୍ବଳ ନଥିବା ଦେଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ବଦାନ୍ୟ ଡାକ୍ତର ପରିବାରକୁ ଆର୍ଥିକ ସହାୟତା କରିବା ସହ ମୃତଦେହ ନେବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରିଥିବା ଦେଖାଯାଇଥିଲା।