ଗଜପତିରେ ସାଇବର ଏବଂ ଅର୍ଥନୈତିକ ଅପରାଧ ପୋଲିସ ଥାନା ଉଦ୍ଘାଟିତ

ଗଜପତିରେ ସାଇବର ଏବଂ ଅର୍ଥନୈତିକ ଅପରାଧ ପୋଲିସ ଥାନା ଉଦ୍ଘାଟିତ

ଗଜପତିରେ ସାଇବର ଏବଂ ଅର୍ଥନୈତିକ ଅପରାଧ ପୋଲିସ ଥାନା ଉଦ୍ଘାଟିତ

ଗଜପତି, ୭।୩(ମନୋଜ ପାଢ଼ୀ): ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ସାଇବର୍ ଓ ଅର୍ଥନେତିକ ଅପରାଧ ଥାନା ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । ଏହି ଥାନା ଖୋଲିବା ଯୋଗୁଁ ଜିଲ୍ଲାରେ ହେଉଥିବା ସାଇବର୍ ଓ ଅର୍ଥନୈତିକ ଅପରାଧ ଗୁଡିକୁ ନିୟନ୍ତ୍ରଣ ଓ ରୋକିବାରେ ସହାୟକ ହୋଇପାରିବ । ଜିଲ୍ଲାରେ ଜନସାଧାରଣଙ୍କ ଅଜ୍ଞତା, ଲୋଭ କାରଣରୁ ସାଇବର ଓ ଅର୍ଥନୈତିକ ଅପରାଧୀଙ୍କ ସହଜରେ ଶିକାର ହେବା ଘଟଣା ବଢିବାରେ ଲାଗିଥିଲା । ଅପରପକ୍ଷେ ପୋଲିସ ଉପରେ ଅନ୍ୟ ଅପରାଧିକ ମାମଲା ଗୁଡିକର ବୋଝ ରହୁଥିବାରୁ ସାଇବର୍ ଓ ଅର୍ଥନୈତିକ ଅପରାଧିକ ମାମଲା ଗୁଡିକରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାରେ ବହୁ ଅଧିକ ସମୟ ଲାଗୁଥିଲା । ଏହି ଥାନା ଖୋଲିବା ଯୋଗୁଁ ସେହି ସମସ୍ୟା ଦୂରହେବା ସହ ଜନସାଧାରଣ ସାଇବର୍ ଓ ଅର୍ଥନୈତିକ ଅପରାଧର ଶିକାର ମାମଲା ଗୁଡିକରେ କମ୍ ସମୟରେ ନ୍ୟାୟ ପାଇପାରିବେ ବୋଲି ଆଶା କରାଯାଉଛି । ଉଦ୍‌ଘାଟନୀ ସମୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବନଖଣ୍ଡ ଅଧିକାରୀ କେ. ନାଗରାଜୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କାନ୍ତ ମହାନ୍ତି, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍‌.ବୀରରାଜୁ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା, ପାରଳାଖେମୁଣ୍ଡି ଉପଖଣ୍ଡ ଅଧୀକ୍ଷକ ମାଧବାନନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି, ଜିଲ୍ଲା କୋର୍ଟର ଭାରପ୍ରାପ୍ତ କ୍ୟାଡର ଅଭିଯୋଜନ ଅଧିକାରୀ ରାଜେଶ କୁମାର ମିଶ୍ର, ସରକାରୀ ଓକିଲ ଏମ୍‌.ପୃଥ୍ୱୀରାଜ, ୟେଡାଲା ଶିବାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ଯେ, ସମଗ୍ର ଜିଲ୍ଲା ପାଇଁ ଏହି ସାଇବର ଥାନା ଖୋଲାଯାଇଛି । କୌଣସି ସାଇବର କ୍ରାଇମ କିମ୍ବା ଅର୍ଥନୈତିକ ଅପରାଧ ଘଟଣା ଗୁଡିକୁ ନେଇ ଏହି ଥାନାରେ ସିଧାସଳଖ ମାମଲା ରୁଜୁ କରିପାରିବେ । ତେବେ ଜିଲ୍ଲାରେ ଏପରି ସ୍ବତନ୍ତ୍ର ଭାବେ ଥାନା ଖୋଲିଥିବାରୁ ସାଇବର ଓ ଅର୍ଥନୈତିକ ଅପରାଧ ଭଳି ମାମଲା ଗୁଡିକର ସ୍ବତନ୍ତ୍ର ଭାବେ ତଦନ୍ତ କରାଯାଇ ପାରିବ ବୋଲି କହିଛନ୍ତି ।