ଗଜପତିରେ ପୁଣି ଜନନୀ ଯନ୍ତ୍ରଣା…..ଗାଁକୁ ଆସିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ ପରେ ଖଟିଆରେ 2 କିମି ବୁହାହେଲେ ପ୍ରସୂତି ମହିଳା ।
ଗଜପତି, 12/3(ମନୋଜ ପାଢ଼ୀ):ଗଜପତି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖାଦେଇଛି । ଗାଁର ରାସ୍ତା ଭଲ ନ ଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ ପରେ ବିଳମ୍ବିତ ରାତ୍ରରେ ଘରେ ପ୍ରସବ କଲେ ଗର୍ଭବତୀ ମହିଳା । ହେଲେ ପ୍ରସବଜନିତ ଅସୁସ୍ଥତାକୁ ନେଇ ଗାଁର କିଛି ଯୁବକମାନେ କନ୍ୟା ସନ୍ତାନ ଜନ୍ମ ଦେଇଥିବା ପ୍ରସୂତି ମହିଳାଙ୍କୁ ଖଟିଆରେ ଭାର କରି 2 କିମି ମୋହନା ଡାକ୍ତରଖାନାକୁ ବୋହି ନେଉଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ସଦର ମହକୁମା ଠାରୁ ମାତ୍ର 5 କିମି ଦୂରରେ ଥିବା ହୁଏରି ଗ୍ରାମରେ । ଗତ ମଙ୍ଗଳବାର ରାତ୍ରରେ ସେହି ଗ୍ରାମର ମିଟୁ ମଲ୍ଲିକଙ୍କ ସ୍ତ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କୁ ଅତ୍ୟଧିକ ପ୍ରସବ ବେଦନା ହୋଇଥିଲା । ଡାକ୍ତରଖାନାକୁ ନେବା ପାଇଁ 108 ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା. ହେଲେ ସେହି ଗ୍ରାମର ରାସ୍ତା ଦୂରାବସ୍ଥା ଯୋଗୁଁ ଆମ୍ବୁଲାନ୍ସ ହୁଏରି ଗ୍ରାମକୁ ଆସିପାରିନଥିଲା ।
ବିଳମ୍ବିତ ରାତିରେ ମହିଳା ଜଣକ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ ମା ଓ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଲକ୍ଷ୍ୟ କରି ଗ୍ରାମର ଯୁବକମାନେ ଖଟିଆରେ 2 କିମି ବୋହି ମୋହନା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ଚିକିତ୍ସା ପରେ ଏମାନଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଜଣା ପଡିଛି । ରାସ୍ତା ଦୂରାବସ୍ଥା ଯୋଗୁଁ ଜରୁରୀ ଚିକିତ୍ସା ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବା ଯୋଗୁଁ ଅତି ତୁରନ୍ତ ହୁଏରି ଗ୍ରାମର ରାସ୍ତାକୁ ନିର୍ମାଣ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।
