ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ଗଜପତି, ୨୬।୩ (ମନୋଜ ପାଢ଼ୀ): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅଡବା ପୋଲିସ ଗୁରୁବାର ଏକ ବଡ଼ ସଫଳତା ହାସଲ କରିଛି। କେଶରୀଗୁଡ଼ା ଗ୍ରାମାଞ୍ଚଳରୁ ପ୍ରାୟ ୪ ଟନ୍‌ରୁ ଊଦ୍ଧର୍‌ବ (୪୦୬୦ କେଜି) ଗଞ୍ଜେଇ ଜବତ କରାଯାଇଛି।ଆର୍‌.ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଏବଂ ଅଡବା ଥାନା ଅଧିକାରୀ ଶୁଭ୍ରକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅପରେଶନ କରାଯାଇଥିଲା। ଗୁରୁବାର ପ୍ରତ୍ୟୁଷରେ କେଶରୀଗୁଡ଼ା ଅଞ୍ଚଳରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ନେଇ ପୋଲିସ ଗୁପ୍ତ ସୂଚନା ପାଇଥିଲା। ପୋଲିସ ଟିମ ସେଠାରେ ଚଢାଉ କରି ୨୦୨ଟି ପ୍ଲାଷ୍ଟିକ ଜରି ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ଗଞ୍ଜେଇ ଠାବ କରିଥିଲେ। ମୋହନା ତହସିଲଦାରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ସମୁଦାୟ ୪.୦୬ ଟନ୍‌ ଗଞ୍ଜେଇ ଥିବା ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ୪ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଥାନା ପକ୍ଷରୁ କୁହାଯାଇଛି।ଚଢାଉ ସମୟରେ ଘଟଣାସ୍ଥଳରେ କେହି ନଥିବାରୁ କାହାକୁ ଗିରଫ କରାଯାଇ ପାରିନାହିଁ। ଏହି ଘଟଣାରେ ଅଡବା ଥାନାରେ ମାମଲା ନମ୍ବର ୬୮/୨୬ ରୁଜୁ କରାଯାଇଛି। ଅଜ୍ଞାତ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ନେଇ ଏସପି ପଣ୍ଡା ସୂଚନା ଦେଇଛନ୍ତି। ତେବେ ଗଜପତି ପୋଲିସର ଏହି ବଡ଼ ଧରଣର ଜବତ ଘଟଣା ଚୋରା ଗଞ୍ଜେଇ ବ୍ୟବସାୟୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।