କୋଲନରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
ରାୟଗଡା : କୋଲନରା ବ୍ଲକ କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲେସିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ପରିଷଦ ସଭ୍ୟା ସୁନୀତା ତାଡିଙ୍ଗି, ସାଂସଦ ପ୍ରତିନିଧି ଡ. ଆଇ, ଗୋବର୍ଦ୍ଧନ ରାଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ | ଜିପିଇଓ ପ୍ରଶାନ୍ତ କୁମାର ପାଢ଼ୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଗତ ବୈଠକରେ ଆଲୋଚନା ହୋଇଥିବା ବିବରଣୀ ପ୍ରଦାନ କରିଥିଲେ | ଆଜିର ବୈଠକରେ ହରିଶ୍ଚନ୍ଦ୍ର ଯୋଜନାର ସହାୟତା, ବିଭିନ୍ନ ଗ୍ରାମରେ ନିର୍ମିତ ବସୁଧା ପ୍ରକଳ୍ପ, ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଦେଖା ଦେଇଥିବା ସମସ୍ୟା ସହ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କିପରି ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା | ଖାସ୍ କରି ହରିଶ୍ଚନ୍ଦ୍ର ସହାୟତା କୌଣସି ହିତାଧିକାରୀକୁ ମିଳୁ ନ ଥିବା ଏବଂ କେଉଁ ଅବ୍ୟବସ୍ଥା ଯୋଗୁଁ ହିତାଧିକାରୀ ମାନେ ହରିଶ୍ଚନ୍ଦ୍ର ସହାୟତା ପାଇବାରୁ ବଞ୍ଚିତ ରହିଛନ୍ତି ଏବଂ ତୁରନ୍ତ ତାହାର ସମାଧାନ କରିବା ନେଇ ଉପସ୍ଥିତ ସରପଞ୍ଚ ମାନେ ଦାବି କରିବା ସହ ଏପରି ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ | ସରକାରଙ୍କ ଯୋଜନା ସବୁ ଗାଇଡ ଲାଇନ ଦ୍ଵାରା ହୋଇଥାଏ, ସମସ୍ତେ ମିଶି ସହଯୋଗ କଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଡ଼ିଓ ଶ୍ରୀମତୀ ପ୍ରଧାନ କହିଥିଲେ | ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀନାରାୟଣ ପାତ୍ର, ବିଇଓ ମଞ୍ଜୁଲତା ଜେନା, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଜି. ଶୈଳଜା, ଆରଡି ଯନ୍ତ୍ରୀ ଜିତେନ୍ଦ୍ର ପାରାସେଠ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ, ଏପିଓ ସୁମିତ୍ରା ପାଣିଗ୍ରାହୀ, ସିଡ଼ିପିଓ ବିଜୟଲକ୍ଷ୍ମୀ ନିଶଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକର ସମସ୍ତ ଯନ୍ତ୍ରୀ, ପିଇଓ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ | ଅନ୍ୟପଟେ ଆଜିର ଏହି ବୈଠକରେ ସମିତି ସଭ୍ୟସଭ୍ୟା ମାନଙ୍କ ଦେଖା ମିଳି ନ ଥିଲା |ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ