କୋଲନରାରେ ଭିନ୍ନକ୍ଷମ ପିଲାଙ୍କୁ ସମ୍ବର୍ଦ୍ଧନା ଓ ମିଷ୍ଟାନ୍ନ ବଣ୍ଟନ
ରାୟଗଡ(info media): ସମାଜରେ ସେବା, ସହାନୁଭୂତି ଓ ମାନବିକତାର ସନ୍ଦେଶ ପ୍ରଚାର କରିବା ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲା କୋଲନରା ସ୍ଥିତ ମା’ ମୁତ୍ୟାଲାମା ମନ୍ଦିର ପରିସରରେ ଏକ ସ୍ନେହମୟ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମା’ ମୁତ୍ୟାଲାମା ମନ୍ଦିର ଉନ୍ନୟନ କମିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଲନରା ସ୍ଥିତ ଜ୍ଞାନ ବର୍ଦ୍ଧିନୀ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ମନ୍ଦିର ଉନ୍ନୟନ ପରିଚାଳନା କମିଟି ସଭାପତି ତଥା କୋଳନରା ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵର ନାଇଡୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ବିଶ୍ଵ କଲ୍ୟାଣ ସାଧନା ସମିତିର ଯୋଗୀ ଶ୍ରୀ ଚୈତନ୍ୟ ରାମ ଜୀ ( ବୁଜୀ ସ୍ୱାମୀ ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଜେକେ ପେପର୍ ମିଲ୍ ର ସିନିୟର୍ ମ୍ୟାନେଜର ଶିବପ୍ରସାଦ ପଟ୍ଟନାୟକ ଓ ବରିଷ୍ଠ ନାଗରିକ ତଥା କଂଗ୍ରେସ ର ବରିଷ୍ଠ ନେତା ଜଗନ୍ନାଥ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ପିଲାଙ୍କୁ ସମ୍ବର୍ଦ୍ଧନା କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ମା’ ମୁତ୍ୟାଲାମାଙ୍କ ପୂଜାର୍ଚ୍ଚନା ଓ ଆଶୀର୍ବାଦ ଗ୍ରହଣ କରାଯିବା ପରେ ଭିନ୍ନକ୍ଷମ ପିଲା ମାନଙ୍କୁ ସ୍ନେହର ସହ ସମ୍ବର୍ଦ୍ଧନା କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ | ସମ୍ବର୍ଦ୍ଧିତ ଏବଂ ମିଷ୍ଟାନ୍ନ ପାଇ ପିଲାମାନଙ୍କ ମୁହଁରେ ଦେଖାଯାଇଥିବା ଖୁସିର ହସ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା | ଭିନ୍ନକ୍ଷମ ପିଲାମାନେ ସମାଜର ଏକ ଅଭିନ୍ନ ଅଂଶ। ସେମାନଙ୍କୁ ସ୍ନେହ, ସମ୍ମାନ ଓ ସମାନ ଅଧିକାର ଦେବା ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ।
ଏପରି ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ମନୋବଳ ବୃଦ୍ଧି ପାଏ ଏବଂ ସମାଜରେ ସକାରାତ୍ମକ ସନ୍ଦେଶ ପହଞ୍ଚେ ବୋଲି ଉପସ୍ଥିତ ଅତିଥିଗଣ ମତ ପ୍ରକାଶ କରିଥିଲେ। ପରେ ସମସ୍ତେ ମିଳିମିଶି ମନ୍ଦିରର ପ୍ରସାଦ ସେବନ କରିଥିଲେ। ଏଥିରେ ମନ୍ଦିର କମିଟି ଉପଦେଷ୍ଟା ରାମଚନ୍ଦ୍ର ଦୋରାଙ୍କ ସମେତ ତ୍ରିନାଥ ତୋଇକା, ସାଗର ପ୍ରଧାନ, ଜି.ଗୋପୀ, ଆଶିଷ ମିଶ୍ର, ରାନୁ ପାଢ଼ୀ, ଦୀପକ କୁମାର ସାହୁ, କିଶୋର ହିମିରିକା, ଆର୍ମାଲ ବୁଜି, ନାରାୟଣ ସାହୁ ଓ ଜେ. ରାମାରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ସେବାଭାବୀ ଲୋକ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ମନ୍ଦିର କମିଟିର ଏହି ନିଆରା ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ମା’ ମୁତ୍ୟାଲାମା ମନ୍ଦିର କମିଟିର ଏହି ଉଦ୍ୟମ ସମାଜରେ ଧର୍ମ ସହ ସେବାକୁ ଯୋଡ଼ିବାର ଏକ ଉତ୍ତମ ଉଦାହରଣ ବୋଲି ଉପସ୍ଥିତ ଲୋକେ ମତ ପ୍ରକାଶ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
