କେ.ସୀତାପୁର ବିଦ୍ୟାଳୟ ନୂତନ କୋଠା କାର୍ଯ୍ୟକ୍ଷମ କେବେ ?
ଗଜପତି,୧୬.୨(ମନୋଜ ପାଢ଼ୀ):- ୨୦୧୩ରୁ ଉନ୍ନୀତ କେ.ସୀତାପୁର ପ୍ରାଥମିକ ବିଦ୍ୟାଳୟ ଏବେ ବି ସେହି ପୁରୁଣା କୋଠାରେ ଚାଲିଛି। ଚାରୋଟି ଶ୍ରେଣୀଗୃହ ମଧ୍ୟରେ ୧୦ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ପାଠପଢ଼ା କିଭଳି ହେଉଥିବ ତା’ ସହଜେ ଅନୁମେୟ ନୂତନ କୋଠା ନିର୍ମାଣ ସରିଛି ତଥାପି ଏଯାବତ କାର୍ଯ୍ୟକ୍ଷମ ନହେବା ଫଳରେ ସଭିଏଁ ସମସ୍ୟାରେ ଜର୍ଜରିତ ହେଉଥିବା ଦେଖିବାକୁ ମିଳିଛି । ପୁରୁଣା ପ୍ରାଥମିକ ବିଦ୍ୟାଳୟରେ ଯେଉଁ ଅବ୍ୟବସ୍ଥା ଲାଗି ରହିଥିଲା, ତାକୁ ଦୂର କରିବା ପାଇଁ ନୂତନ କୋଠା ନିର୍ମାଣ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାର ଯୋଜନା କରାଯାଇଥିଲା। ଯୋଜନା ମୁତାବକ ଅନୁଦାନ ଅର୍ଥ ଆସିଲା। କୋଠା ବି ନିର୍ମାଣ ହେଲା । ବହୁ ବାଦବିବାଦପରେ ୫ ମାସ ତଳେ ଉଦ୍ଘାଟନ ହେଲା। ତଥାପି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି ନୂତନ ବିଦ୍ୟାଳୟ କୋଠା ନୂତନ କୋଠାରେ ସ୍ମାର୍ଟ ଶ୍ରେଣୀକକ୍ଷ, ଇ-ଲାଇବ୍ରେରି ଓ ଲ୍ୟାବ୍ ଭଳି ସୁବିଧା ମିଳିଲେ ସଠିକ ଶିକ୍ଷାଦାନ ହୋଇ ପାରିବ ବୋଲି ଆଶା କରାଯାଉଥିଲା। ହେଲେ, ତାହା ହେଲାନାହିଁ ।
କମ୍ପ୍ୟୁଟର, ଏଲ୍ଇଡି, ସ୍ମାର୍ଟ କ୍ଳାସ ଓ ପରୀକ୍ଷାଗାର ନିମନ୍ତେ ଆସିଥିବା ଯାବତୀୟ ସାମଗ୍ରୀ ପୁରୁଣା ବିଦ୍ୟାଳୟ ପରିସରରେ ପଡ଼ିରହିଛି। ନୂତନ କୋଠାକୁ ବିଦ୍ୟାଳୟ ସ୍ଥାନାନ୍ତର କରାନଯିବାର କାରଣ କ’ଣ ବୋଲି ସରପଞ୍ଚ ତେଜେଶ୍ବର ରାଓ ପ୍ରଶ୍ନ କରିଛନ୍ତି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ନାୟକଙ୍କୁ ପଚାରିବାରୁ ସେ କହିଲେ – ଆସବାବପତ୍ର ସମସ୍ୟା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ତେବେ, ଦିନେ ଦୁଇଦିନ ଭିତରେ ନୂତନ କୋଠାକୁ ବିଦ୍ୟାଳୟ ସ୍ଥାନାନ୍ତର ହୋଇ କାର୍ଯ୍ୟକ୍ଷମ ହେବ ବୋଲି ପ୍ରକାଶ କରିଛନ୍ତି।
