କେନ୍ଦ୍ରାପଡ଼ାରେ ଅମାନବୀୟତା: ବସ୍ ଭିତରେ ସ୍ବାମୀଙ୍କ ମୃତ୍ୟୁ, ପତ୍ନୀକୁ ମୃତଦେହ ସହ ରାସ୍ତାକଡ଼ରେ ଛାଡ଼ି ପଳାଇଲେ କର୍ମଚାରୀ
ଦୁହୁରିଆଛକ ନିକଟରେ ଘଟଣା; ଅର୍ଥ ନଥିବାରୁ ମୃତଦେହକୁ ନେଇ ପତ୍ନୀଙ୍କ ଅସହାୟତା, ବଜାର କମିଟି ହସ୍ତକ୍ଷେପ କରି ହସ୍ପିଟାଲ୍କୁ ପଠାଇଲା।
କେନ୍ଦ୍ରାପଡ଼ା: ସୋମବାର କେନ୍ଦ୍ରାପଡ଼ା ଦୁହୁରିଆଛକ ନିକଟରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଥିଲା। ବସ୍ରେ ଘରକୁ ଫେରୁଥିବା ସ୍ବାମୀ-ସ୍ତ୍ରୀଙ୍କ ଯାତ୍ରା ମଧ୍ୟରେ ଅଚାନକ ସ୍ବାମୀଙ୍କ ମୃତ୍ୟୁ ଘଟିଯାଏ।ବାରିପଦା ଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦବିଲ ଅଞ୍ଚଳର ବାଘରାଏ ମାରଢ଼ୀ ଓ ପତ୍ନୀ ଦୁଲାରୀ ମାରଢ଼ୀ କେନ୍ଦ୍ରାପଡ଼ାକୁ କାମ କରି ଆଜି କଟକକୁ ବସ୍ରେ ଯାଉଥିଲେ। ବାଟରେ ସ୍ବାମୀଙ୍କ ଅସୁସ୍ଥତା ହଠାତ୍ ଗୁରୁତର ହେବା ପରେ ମୃତ୍ୟୁ ଘଟିଥାଏ।ଘଟଣା ଜାଣିବା ପରେ ବସ୍ କର୍ମଚାରୀମାନେ ବସ୍କୁ ଦୁହୁରିଆଛକ ନିକଟରେ ରଖି, ମୃତ ସ୍ବାମୀ ଓ ଅସହାୟ ପତ୍ନୀଙ୍କୁ ରାସ୍ତାକଡ଼ରେ ଓହ୍ଲାଇ ଦେଇ ପଳାଇଯାନ୍ତି। ପତ୍ନୀ ଦୁଲାରୀଙ୍କୁ ସ୍ବାମୀଙ୍କ ମୃତଦେହ ପାଖରେ କାନ୍ଦୁଥିବା ଅବସ୍ଥାରେ ଲୋକ ଦେଖିବା ପରେ ସମସ୍ତ ଘଟଣା ସାମନାକୁ ଆସେ।ପାଖରେ ଅର୍ଥ ନଥିବାରୁ ପତ୍ନୀଙ୍କ ପକ୍ଷରେ ମୃତଦେହକୁ ହସ୍ପିଟାଲ୍କୁ ନେବା ସମ୍ଭବପର ହୋଇପାରିନଥିଲା। ସୂଚନା ପାଇ ସ୍ଥାନୀୟ ବଜାର କମିଟି ସଦସ୍ୟମାନେ ହସ୍ତକ୍ଷେପ କରି ଏମ୍ବୁଲେନ୍ସ ବ୍ୟବସ୍ଥା କରି ମୃତଦେହକୁ ହସ୍ପିଟାଲ୍କୁ ପଠାଇଥିଲେ।ଏହି ଅମାନବୀୟ ଆଚରଣ ନେଇ ସ୍ଥାନୀୟ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବସ୍ କର୍ମଚାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବାଦିଗରେ ଚର୍ଚ୍ଚା ଚାଲିଛି।
