ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୪ ଜୁନ୍ ୨୧ ତାରିଖରେ “ଆତ୍ମ ଓ ସମାଜ ପାଇଁ ଯୋଗ” ଶୀର୍ଷକରେ ଭବ୍ୟ ଉତ୍ସବ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କ୍ୟାମ୍ପସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଭାରପ୍ରାପ୍ତ କୁଳସଚିବ ପ୍ରଫେସର ଏନ୍ ସି ପଣ୍ଡା ଓ ଯୋଗ ବିଶେଷଜ୍ଞ ଶ୍ରୀ ଜୟ କୃଷ୍ଣ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବିଶ୍ବବିଦ୍ୟାଳୟ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମେତ ସୁନାବେଡ଼ା ସ୍ଥିତ ସରକାରୀ ହାଇସ୍କୁଲ ଓ ଜଗନ୍ନାଥ ବିଦ୍ୟା ପୀଠର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ।ପ୍ରାରମ୍ଭିକ ଅଭିଭାଷଣରେ ପ୍ରଫେସର ତ୍ରିପାଠୀ ଯୋଗକୁ ଦୈନନ୍ଦିନ କାର୍ଯ୍ୟରେ ସାମିଲ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ନିୟମିତ ଯୋଗଅଭ୍ୟାସ ଦ୍ୱାରା ସୁସ୍ଥ ମନ, ଶରୀର ଓ ଆତ୍ମାକୁ ପ୍ରୋତ୍ସାହିତ କରାଯାଇ ସମୃଦ୍ଧ ଓ ପରିପୂର୍ଣ୍ଣ ଜୀବନ ଯାପନ ହୋଇଥାଏ। ଯୋଗ ଦ୍ୱାରା ମିଳୁଥିବା ଆଭ୍ୟନ୍ତରୀଣ ଆନନ୍ଦକୁ ଅନୁସନ୍ଧାନ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।ଭାରପ୍ରାପ୍ତ କୁଳସଚିବ ପ୍ରଫେସର ଏନ୍ ସି ପଣ୍ଡା ଯୋଗଦେଇ ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷର ବିଷୟବସ୍ତୁର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମର ମୂଖ୍ୟ ଆକର୍ଷଣ ଥିଲା ଜୟ କୃଷ୍ଣ ପଧାନଙ୍କ ଦ୍ୱାରା ଆୟୋଜିତ ଯୋଗ କର୍ମଶାଳା, ଯେଉଁଥିରେ ସାଧାରଣ ଯୋଗ ପ୍ରୋଟୋକଲ ଅନୁଯାୟୀ ବିଭିନ୍ନ ଆସନ ପ୍ରଦର୍ଶନ ପୂର୍ବକ ଅଂଶଗ୍ରହଣକାରୀ ମାନେ ଯୋଗାଭ୍ୟାସ କରିଥିଲେ । ଶାରୀରିକ ବ୍ୟାୟାମ ସହ ଭ୍ରମରୀ, ଧ୍ୟାନ, ଶୀତଳି, କପାଳଭାଟି, ନାଡିଶୋଧନ, ସେତୁ ବନ୍ଧନାସନ, ବକ୍ରାସନ, ଭଦ୍ରାସନ, ଅର୍ଧା ଚକ୍ରସନ ଓ ତାଡାସନ ଆଦି ଯୋଗ ପ୍ରଦର୍ଶନ କରିଥିଲେ । ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ମିନତୀ ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ଗଣିତ ବିଭାଗର ସହକାରୀ ପ୍ରଫେସର ଡ. ସର୍ବେଶ୍ୱର ବାରିକ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
