ଏସୀୟ ସୁଟିଂ ଚାମ୍ପିୟନସିପ୍ରେ ଭାରତକୁ ରୌପ୍ୟ, ସମ୍ରାଟ୍ ରାଣା–ସୁରୁଚି ସିଂଙ୍କ ଦମଦାର ପ୍ରଦର୍ଶନ
ନୂଆଦିଲ୍ଲୀ: ଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜ୍ରେ ଚାଲିଥିବା ଏସୀୟ ସୁଟିଂ ଚାମ୍ପିୟନସିପ୍ର ୧୦ ମିଟର ଏୟାର ପିସ୍ତଲ୍ ମିଶ୍ରିତ ଯୁଗଳ ମୁକାବିଲାରେ ଭାରତର ସମ୍ରାଟ୍ ରାଣା ଓ ସୁରୁଚି ସିଂ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ଭାରତୀୟ ଯୋଡ଼ି ୪୭୯.୬ ପଏଣ୍ଟ ସଂଗ୍ରହ କରିଥିଲେ। ଉଜବେକିସ୍ତାନର ନିଗିନା ସେଡକୁଲୋଭା ଓ ମହମ୍ମଦ କାମାଲୋଭ୍ ୪୮୧.୩ ପଏଣ୍ଟ ସହ ସ୍ବର୍ଣ୍ଣପଦକ ହାସଲ କରିଥିବାବେଳେ ଚାଇନିଜ୍ ତାଇପେଇର ଚେଙ୍ଗ୍-ୟେନ୍-ଚିଙ୍ଗ୍ ଓ ସେଇ ସିଆଙ୍ଗ-ଚେନ ୪୧୨.୨ ପଏଣ୍ଟ ସହ କାଂସ୍ୟ ପଦକ ଜିତିଥିଲେ।
ମୁକାବିଲାର ପ୍ରଥମ ଦୁଇ ସିରିଜ୍ରେ ଭାରତୀୟ ଯୋଡ଼ି ଆଗରେ ଥିଲେ ମଧ୍ୟ ପରେ ଉଜବେକ୍ ଯୋଡ଼ି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବିଜୟ ହାସଲ କରିଥିଲେ। ଏହି ଫାଇନାଲ୍ ସଂଶୋଧିତ ଚାରି ଦଳ ବିଶିଷ୍ଟ ଫର୍ମାଟ୍ରେ ଆୟୋଜିତ ହୋଇଥିଲା, ଯେଉଁଥିରେ ଶୀର୍ଷ ୪ଟି ଦଳ ଅଂଶଗ୍ରହଣ କରିଥିଲେ।ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଯୋଡ଼ି ୫୮୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିଲେ।
ଅନ୍ୟପକ୍ଷରେ ଅଲିମ୍ପିକ୍ ବିଜୟିନୀ ମନୁ ଭାକର ଏଥର ପୁଣି ପଦକ ଜିତିବାରେ ବିଫଳ ହୋଇ ୫୭୧ ପଏଣ୍ଟ ସହ ନବମ ସ୍ଥାନରେ ରହିଥିଲେ।ଗୁରୁବାରର ଏହି ପଦକ ସହ ଚଳିତ ପ୍ରତିଯୋଗିତାରେ ଭାରତ ବରିଷ୍ଠ ବର୍ଗରେ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୧ଟି କାଂସ୍ୟ ସହ ମୋଟ ୫ଟି ପଦକ ଜିତିଛି।
