ଏମ୍ଏସ୍ ପୁର ଠାରେ ବିଶ୍ୱ କର୍କଟ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି,୪.୨(ମନୋଜ ପାଢ଼ୀ):- ବିଶ୍ୱ କର୍କଟ ଦିବସ ଉପଲକ୍ଷେ , ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ମଧୁସୂଦନ ପୁର ତଥା ଏମ୍ଏସ୍ ପୁର ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କର୍କଟ ରୋଗର ନିରାକରଣ , ପ୍ରାଥମିକ ଚିହ୍ନଟ ଏବଂ ରୋଗୀ ଓ କର୍କଟ ବିଜୟୀଙ୍କୁ ସହଯୋଗ କରିବା ବିଷୟରେ ଜ୍ଞାନ ବିସ୍ତାର କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ।ଏହି କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ସଂଯୋଜିକା ଟି: ସୁନୀତା ଏବଂ ଫ୍ୟାକଲ୍ଟି ସଂଯୋଜିକା ଶୁଭଶ୍ରୀ ପାଣିଗ୍ରାହୀ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ , ଅଧ୍ୟାପକ-ଅଧ୍ୟାପିକା ଏବଂ ଅନ୍ୟ ଅଂଶଗ୍ରହଣକାରୀ ମାନେ ଏଥିରେ ସକ୍ରିୟ ଭାବେ ଭାଗ ନେଇ କାର୍ଯ୍ୟକ୍ରମ’କୁ ଶିକ୍ଷଣୀୟ ଓ ପ୍ରେରଣା ଦାୟକ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଏକ ପୋଷ୍ଟର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ ଛାତ୍ରଛାତ୍ରୀ ମାନେ କର୍କଟ ରୋଗର କାରଣ , ପ୍ରତିଷେଧକ ବ୍ୟବସ୍ଥା ଏବଂ ଉପଲବ୍ଧ ଚିକିତ୍ସା ପଦ୍ଧତି ସମ୍ପର୍କିତ ସୃଜନଶୀଳ ପୋଷ୍ଟର ପ୍ରଦର୍ଶନ କରିଥିଲେ। ଏହା ପରେ ଏକ କ୍ଷୁଦ୍ର ନାଟକ ପରିବେଷଣ କରା ଯାଇଥିଲା ।
ଯାହା ମାଧ୍ୟମରେ ରୋଗର ଶୀଘ୍ର ଚିହ୍ନଟ ଏବଂ ରୋଗୀଙ୍କୁ ମାନସିକ ସାହାଯ୍ୟ ପ୍ରଦାନର ଗୁରୁତ୍ୱକୁ ଖୁବ୍ ସୁନ୍ଦର ଭାବେ ବୁଝା ଯାଇଥିଲା।ଏହି ଅବସରରେ ଏକ ‘କର୍କଟ ସଚେତନତା ଶପଥ’ ପାଠ କାର୍ଯ୍ୟକ୍ରମ କରା ଯାଇଥିଲା , ଯେଉଁଥିରେ ସମସ୍ତେ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ଏବଂ ସମାଜରେ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଶପଥ ନେଇଥିଲେ। ପରେ ଜଣେ ବିଶେଷଜ୍ଞ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା ମାଧ୍ୟମରେ କର୍କଟ ନିରାକରଣ , ଏହାର ପ୍ରାଥମିକ ଲକ୍ଷଣ ଏବଂ ଆଧୁନିକ ଚିକିତ୍ସା ପଦ୍ଧତିରେ ହୋଇଥିବା ଅଗ୍ରଗତି ବିଷୟରେ ବୁଝାଇଥିଲେ। କାର୍ଯ୍ୟକ୍ରମର ସବୁଠାରୁ ହୃଦୟସ୍ପର୍ଶୀ ଅଂଶ ଥିଲା “ଜୀବନର ଅନୁଭୂତି” ବାଣ୍ଟିବା ସେସନ୍, ଯେଉଁଥିରେ ଜଣେ କର୍କଟ ବିଜୟୀ (ସର୍ ଭାଇବର୍) ନିଜ ସଂଘର୍ଷର କାହାଣୀ ବର୍ଣ୍ଣନା କରି ସମସ୍ତଙ୍କ ମଧ୍ୟରେ ଆଶା , ସାହସ ଏବଂ ଶକ୍ତିର ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସଚେତନତା ସୃଷ୍ଟି କରିବା ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଏବଂ କର୍କଟ ଆକ୍ରାନ୍ତ’ଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲା।
