ଏବେ ବି ବଞ୍ଚି ରହିଛି ସାପ୍ତାହିକ ହାଟ ପରମ୍ପରା ।
ଗଜପତି,୮.୧.(ମନୋଜ ପାଢ଼ୀ) -: ଆଦିବାସୀ ଅଧ୍ଯୁଷିତ ଗଜପତି ଜିଲ୍ଲାରେ ସମୟ ଅନୁସାରେ ସବୁକିଛି ବଦଳିଛି। ହେଲେ ହାଟପ୍ରଥା ଏବେ ବି ଜୀବିତ ରହିଛି ତେବେ ଆଗଭଳି ହାଟ ଉପରେ ସେତେଟା ନିର୍ଭରଶୀଳ ହେଉନଥିବା ବେଳେ ଚାହିଦା ବି ସେତେଟା ନାହିଁ। ଦିନ ଥିଲା ସାପ୍ତାହିକ ହାଟ ପାଇଁ ଲୋକେ ଏକ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରି ରହୁଥିଲେ । ବିଶେଷ କରି ଗ୍ରାମାଞ୍ଚଳରେ ଆବଶ୍ୟକ ସାମଗ୍ରୀ କିଣାବିକା କରିବା ସହ ନିତ୍ୟ ବ୍ୟବହର୍ଯ୍ୟ ଉପକରଣ ଠାରୁ ପନିପରିବା,କପଡା ଏବଂ ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ, ଚାଷକାର୍ଯ୍ୟ ପାଇଁ ବିହନ, କୀଟନାଶକ ପର୍ଯ୍ୟନ୍ତ ସମସ୍ତ ଜିନିଷ ହାଟରୁ କିଣି ସାଇତି ରଖୁଥିଲେ ପୁଣି ଆବଶ୍ୟକ ସାମଗ୍ରୀ ପାଇଁ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ । ଉତ୍ପାଦିତ ସାମଗ୍ରୀ ବି ହାଟରେ ବିକ୍ରି କରୁଥିଲେ। ଗୋରୁ ,ଛେଳି, କୁକୁଡ଼ା, ପରିବା ଆଦି ସ୍ଥାନୀୟ ଅଞ୍ଚଳର ଆଦିବାସୀମାନେ ବିକ୍ରି କରିବା ପାଇଁ ହାଟକୁ ଆସୁଥିବା ବେଳେ ସହରିଆ ବ୍ୟବସାୟୀ କପଡା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରୁଥିଲେ କିନ୍ତୁ ପୂର୍ବ ଭଳି ହାଟରେ ଆଉ ବ୍ୟବସାୟ ନାହଁ ଏବେ ସବୁଠି ନିତିଦିନିଆ ବଜାର ହେଲାଣି ଆବଶ୍ୟକ ଅନୁସାରେ ସବୁସମୟରେ ସବୁଠି ସବୁ ସାମଗ୍ରୀ ଉପଲବ୍ଧ ହେଲାଣି। ଏଥିସହ ଅନ୍ଲାଇନ ମାର୍କେଟ ମାଧ୍ୟମରେ ବିଭିନ୍ନ ପ୍ରକାରର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଘରେ ପହଞ୍ଚିବା ସୁବିଧା ମଧ୍ୟ ସ୍ଥାନୀୟ ଅଞ୍ଚଳ ପାଇଁ ଉପଲବ୍ଧ ହେଉଛି। ଯାହାର ପ୍ରଭାବରେ ନିତିଦିନିଆ ବଜାର ପରେ ସାପ୍ତାହିକ ହାଟର ଚାହିଦା ବହୁ ପରିମାଣର କମିଛି। ତଥାପି ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ଛୋଟବଡ ହାଟ ଚାଲୁଛି।
ଜିଲ୍ଲାର ରାୟଗଡ଼ ବ୍ଲକର ରାୟଗଡ଼, ନାରାୟଣପୁର, ଜିରାଙ୍ଗ, ଲକ୍ଷ୍ମୀପୁର, କଇଁପୁର, ମଣ୍ଡଳସାହୀ, ମୋହନା ବ୍ଲକ୍ର ଚାନ୍ଦିପୁଟ, ଗୋବିନ୍ଦପୁର, ଅଡ଼ବା, ଚନ୍ଦ୍ରଗିରି, ଜିରାଙ୍ଗ, ଗୋଷାଣୀ ବ୍ଲକର ଗାରାବନ୍ଧ, ଉପଲଡା, ନୂଆଗଡ଼ ବ୍ଳକର ନୂଆଗଡ଼, ଖଜୁରୀପଦା, କରାମା, ତଟରଙ୍ଗ, ରା.ଉଦୟଗିରି ବ୍ଳକର ରା.ଉଦୟଗିରି, ରାମଗିରି, ଛେଳିଗଡ, ଗୁମ୍ଫା ବ୍ଳକର ଗୁମ୍ଫା, ସେରଙ୍ଗ ଓ ଗାଇବା ଠାରେ ସପ୍ତାହର ଭିନ୍ନଭିନ୍ନ ଧାର୍ଯ୍ୟ ଦିନରେ ଏହି ସାପ୍ତାହିକ ହାଟ ଅନୁଷ୍ଠିତ ହୋଇଆସୁଛି। ଦିନ ଥିଲା ହାଟ ଲୋକଙ୍କ ପ୍ରମୁଖ ଯୋଗାଯୋଗର ମାଧ୍ୟମ ଥିଲା| ଦୁର୍ଗମ ଅଞ୍ଚଳର ଲୋକଙ୍କୁ ସାକ୍ଷାତ କରିବା ପାଇଁ ଅବା କୌଣସି ସୂଚନା ଦେବା ପାଇଁ ହାଟ ଦିନକୁ ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ଆଉ ତାର ଆବଶ୍ୟକ
ରହୁନି। କାରଣ ରାସ୍ତାଘାଟ ସୁଗମ ହେବା ସହ ଯୋଗଯୋଗ ସହ ମୋବାଇଲର ସୁବିଧା ହେଲାଣି | ତେବେ ଏବେ ବି ରାଜନୈତିକ ଦଳ ପାଇଁ ପ୍ରଚାରପ୍ରସାରର ଏକ ସରଳ ମାଧ୍ୟମ ରହିଛି ହାଟ ପ୍ରାୟତଃ ସବୁ ରାଜନୈତିକ ଦଳ ହାଟରେ ସଭାସମିତି ପାଇଁ ଯୋଜନା କରିଥାନ୍ତି । ସେହିଭଳି ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହାଟମାନଙ୍କରେ ଅନୁଷ୍ଠିତ ହେଉଛି।

