ଉପଜିଲ୍ଲାପାଳ ଗୁମ୍ମା ବ୍ଲକର ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ
ଗଜପତି(ମନୋଜ ପାଢୀ) : ଆଜି ଉପ-ଜିଲ୍ଲାପାଳ,ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅନୁପ ପଣ୍ଡା ଗୁମ୍ମା ବ୍ଲକର ବିଭିନ୍ନ ଛତୁଆ ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଛତୁଆ ପ୍ରସ୍ତୁତି ଲାଗି ଶୁଖିଲା ସାମଗ୍ରୀ ର ମାନ ଯାଞ୍ଚ କରିବା ସହ ସଠିକ୍ ପରିମାଣ ମିଶ୍ରଣ ର ତଦାରଖ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ହିତାଧିକାରୀ ତଥା ଗର୍ଭବତୀ ମହିଳା, ପ୍ରସୂତୀ ମାଆ, ୬ମାସ ରୁ ୩ ବର୍ଷର ଶିଶୁଙ୍କ ନିମନ୍ତେ ଘରକୁ ନିଆ ଯାଉଥିବା ଶୁଖିଲା ଖାଦ୍ୟ ଛତୁଆ ମିଶ୍ରଣ ହେଉଥିବା ଗୁମା ବ୍ଲକ ଅନ୍ତର୍ଗତ ୨ଗୋଟି ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ସେହିପରି ମୁନୁସିଂ ଗ୍ରାମ ପଞ୍ଚାୟତର ୨ଗୋଟି ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଯଥା ବାରସିଂ- ‘କ’ ଏବଂ ବାରସିଂ- ‘ଖ’ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ଅଙ୍ଗନୱାଡି କେନ୍ଦ୍ରର କୋଠା ମାନ ଓ ଶିଶୁଙ୍କ ଓଜନ ଉଚ୍ଚତା କୁ ଯାଞ୍ଚ କରିଥିଲେ, କେନ୍ଦ୍ର ର ପରିଷ୍କାର ପରିଚ୍ଛନ୍ନତା ଏବଂ ବିଭିନ୍ନ ରେଜିଷ୍ଟର ଦେଖିଥିଲେ । ସେହିପରି ଶୁଖିଲା ଖାଦ୍ୟ ସମସ୍ତ ହିତାଧିକାରୀ ମାନେ ଠିକ୍ ସମୟରେ ପାଉଛନ୍ତି କି ନାହିଁ ତାହା ମଧ୍ୟ ତଦାରଖ କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀମତୀ ସ୍ନିଗ୍ଧାରାଣୀ ଭୂୟାଁ, ଉପଖଣ୍ଡ ପ୍ରୋଗ୍ରାମ ଅଧିକାରୀ, ପାରଳାଖେମୁଣ୍ଡି , ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,ଗୁମ୍ମା, ମଣ୍ଡଳ ପରିଦର୍ଶିକା ଓ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।
