ଆସିୟୁ ନଥିବା ଏବଂ ଚିକିତ୍ସାରେ ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ ।
ଗଜପତି,୨୨.୨(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ଘେରାରେ ରହିଥିବା କଥା କେଉଁଠାରେ ଅଛପା ନୁହେଁ । ବାରମ୍ବାର ଏହି ଚିକିତ୍ସାଳୟର ଅବ୍ୟବସ୍ଥା କିମ୍ବା ସମସ୍ୟାକୁ ନେଇ ନୂଆ ନୂଆ ବିବାଦ ଆଦି ଉପୁଜୁଥିଲେ ମଧ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଚେଇଁ ଶୋଇଥିବା ଅଭିନୟ କରିଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି । କେତେବେଳେ ଚିକିତ୍ସାରେ ଅବହେଳା ତ ଆଉ କେକେତେବେଳେ ଡାକ୍ତରଙ୍କ ଅଭାବ ଆଦିକୁ ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟୁଛି । ଏହି ଚିକିତ୍ସାଳୟକୁ ଦୈନନ୍ଦିନ ଜିଲ୍ଲାର କୋଣ ଅନୁକୋଣରୁ ରୋଗୀଙ୍କ ସୁଅ ଛୁଟୁଥିବା ବେଳେ ପଡୋଶୀ ଜିଲ୍ଲା ରାୟଗଡଗା ଏବଂ ପଡୋଶୀ ରାଜ୍ୟ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ରୋଗୀ ମଧ୍ୟ ଏହିଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ହେଲେ ଏଠାରେ ବାସ୍ତବଚିତ୍ର ଅଲଗା । ରୋଗୀଙ୍କ ଅବସ୍ଥା ଟିକିଏ ଜଟିଳ ଥାଏ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବା ସ୍ବାଭାବିକ ହୋଇପଡିଛି । ଜିଲ୍ଲାସ୍ତରୀୟ ସରକାରୀ ଚିକିତ୍ସାଳୟ ହୋଇଥିଲେ ହେଁ ଏଠାରେ ଆଜି ପର୍ଯ୍ୟନ୍ତ ଆଇସିୟୁ ନଥିବା ଯୋଗୁଁ ଜଟିଳ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଥିବା ରୋଗୀଙ୍କ ମୃତ୍ୟୁ ଘଟୁଥିବାର ଅଭିଯୋଗ ହୋଇଛି । ତେବେ ଗତ ବିଳମ୍ବିତ ରାତ୍ରରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ବିଳମ୍ବ ଓ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତ ମହିଳା ଜଣଙ୍କ ହେଲେ ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଖ୍ରୀଷ୍ଟିଆନ ସାହିର ଦୀପ୍ତିରାଣୀ ବେବର୍ତା(୪୨)। ଶନିବାର ମଧ୍ୟରାତ୍ର ପ୍ରାୟ ଗୋଟଏ ବେଳେ ଦୀପ୍ତିରାଣୀ ଅସୁସ୍ଥ ହୋଇ ଥିବାରୁ ପରିବାର ଲୋକେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ।
ସେଠାରେ ପହଁଚିବା ପରେ ଡ଼ଃ ଗୁରୁତ୍ୱର ରୋଗୀଙ୍କ ଚିକିତ୍ସା କରିନଥିଲେ କି ଜରୁରୀସେବା ମଧ୍ୟ ଯୋଗାଇ ନଥିଲେ ଯାହାଫଳରେ ରୋଗୀଙ୍କ ସେଠାରେ ୧:୩୦ ମିନିଟ ସମୟରେ ମୃତ୍ୟୁ ହୋଇଥିବା ବେଳେ ଆୟୁସିୟୁ ନଥିବା ଏବଂ ଅହେତୁକ ବିଳମ୍ବ ଯୋଗୁଁ ମୃତ୍ୟୁ ହୋଇଥିଲା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି । ସେତେବେଳେ କାର୍ଯ୍ୟରତ ଡାକ୍ତର କେବଳ ବସି ରହି ମୃତ୍ୟୁର ବିଭେଷିକା ଦେଖିବା ସହ ନିଜ ମୋବାଇଲ ଖୋଲି ଦେଖୁଥିବାର ବ୍ୟସ୍ତ ରହିଥିଲେ ବୋଲି ମୃତକଙ୍କ ସମ୍ପର୍କୀୟ ପ୍ରେମ କୁମାର ବେବର୍ତା, ଜନସନ ବେବେର୍ତା ଓ ଜଗଦୀଶ ବେବେର୍ତା କହିଛନ୍ତି । ଅନ୍ୟପକ୍ଷରେ ଏନେଇ ସମାଜସେବୀ ଜସ୍ମିନ୍ ଶେଖ୍ କହିଛନ୍ତି ଯେ ଆଇସିୟୁର ବ୍ୟବସ୍ଥା ନଥିବା ଯୋଗୁଁ ଦୀପ୍ତିରାଣୀଙ୍କ ମୃତ୍ୟୁ ଘଟିଛି । ଏପରି ପ୍ରତିଦିନ କେତେ ଯେ ଦୀପ୍ତିରାଣୀଙ୍କ ଭଳି ମୃତ୍ୟୁ ହେଉଛି ତାର ହିସାବ ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହୋଇଥିଲେ ହେଁ ଏଠାରେ ଯେତିକି ଅନ୍ତତଃ ବ୍ୟବସ୍ଥା ରହିବା କଥା ସେହି ବ୍ୟବସ୍ଥା ନାହିଁ । ଯେଉଁଥି ପାଇଁ ରୋଗୀ ମାନେ ମରିବା ଛଡା ଆଉ କିଛି ବାଟ ନାହିଁ । ଯଦି ଓ ଏଠାରୁ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର କିମ୍ବା ଅନ୍ୟକେଉଁଠାକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି ତେବେ ସେଠାରେ ଆର୍ଥିକ ଶୋଷଣର ଶିକାର ମଧ୍ୟ ହେଉଛନ୍ତି । ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଜିଲ୍ଲାବୋଲି ରାଜ୍ୟ ସରକାର ଓ ପ୍ରଶାସନ ନିରବଦ୍ରଷ୍ଟା ସାଜିବସିଥିବାର କହିଛନ୍ତି ।
