ଆସାମ, କେରଳ, ପୁଡ଼ୁଚେରୀରେ ମତଦାନ ଶେଷ

ଆସାମ, କେରଳ, ପୁଡ଼ୁଚେରୀରେ ମତଦାନ ଶେଷ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟରେ ଆଜି ଆସାମ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ ପୁଡ଼ୁଚେରୀରେ ସର୍ବାଧିକ ୮୬.୯୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ ଆସାମରେ ୮୪.୪୨ ପ୍ରତିଶତ ଏବଂ କେରଳରେ ୭୫.୦୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ଆସାମରେ ୧୨୬ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ଭୋଟ୍‌ ଗ୍ରହଣ ହୋଇଛି। ତେବେ ଆସାମରେ ରେକର୍ଡ ହୋଇଥିବା ମତଦାନ ୨୦୨୧ ନିର୍ବାଚନ ରେକର୍ଡକୁ ଅତିକ୍ରମ କରିଯାଇଛି। ଆସାମରେ ଡଲଗାଓଁରେ ସର୍ବାଧିକ ୯୪.୫୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ ଆମ୍ରିରେ ସର୍ବନିମ୍ନ ୭୦.୪୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।ଆସାମରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନରେ ମୋଟ୍‌ ୭୨୨ ପ୍ରାର୍ଥୀ ଅଛନ୍ତି। ୩୫ ଜିଲ୍ଲାର ୩୧.୪୯୦ ଭୋଟିଂ ବୁଥ୍‌ରେ ଆଜି ଭୋଟ୍‌ ଗ୍ରହଣ ଚାଲିଥିଲା।

କେରଳରେ ୧୪୦ ବିଧାନସଭା ଆସନ ପାଇଁ ଆଜି ସନ୍ଧ୍ୟା ୬ଟାରେ ମତଦାନ ‌ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା କେରଳରେ ୭୫.୦୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ଯାହା କି ୨୦୨୧ରେ ହୋଇଥିବା ମତଦାନ ୭୪.୦୬ ପ୍ରତିଶତଠାରୁ ସାମାନ୍ୟ ଅଧିକ। କେରଳ‌‌ରେ ୮୮୩ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ।ଅନ୍ୟପକ୍ଷେ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ୩୦ ଆସନ ପାଇଁ ସନ୍ଧ୍ୟା ୬ଟାରେ ମତଦାନ ‌ଶେଷ ହୋଇଛି। ପୁଡ଼ୁଚେରୀରେ ସର୍ବାଧିକ ୮୬.୯୨ ପ୍ରତିଶତ ମତଦାନ ‌ରେକର୍ଡ କରାଯାଇଛି। ଉପରୋକ୍ତ ୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ୍‌ ଗ୍ରହଣ ସହ ଆଜି କର୍ଣ୍ଣାଟକ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ମଧ୍ୟ ଉପନିର୍ବାଚନ ହୋଇଛି। ନାଗାଲାଣ୍ଡରେ କୋରିଡଙ୍ଗ ବିଧାନସଭା ଆସନ‌ରେ ଉପନିର୍ବାଚନ ହୋଇଥିବାବେଳେ କର୍ଣ୍ଣାଟକର ବଗଲକୋଟ ଏବଂ ଦାବଣଗେ‌ରେ ଦକ୍ଷିଣ‌ରେ ଉପନିର୍ବାଚନ ହୋଇଛି। ଏଥିସହ ଉତ୍ତର ତ୍ରିପୁରାର ଧର୍ମନଗରରେ ମଧ୍ୟ ଉପନିର୍ବାଚନ ହୋଇଛି।

ତେବେ ଆଜି ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍‌ ଗ୍ରହଣ ଶେଷ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ହିଂସା ଉପୁଜିଛି। ଆସାମର ଦିଫୁ ନିର୍ବାଚନମଣ୍ଡଳୀର ଏକ ପୋଲିଂ ବୁଥ୍‌ର ଭିଡିଓ କେହିଜଣେ ସୋସିଆଲ ମିଡିଆରେ ସେୟାର କରିଥିବାରୁ ଏହାକୁ ବିରୋଧ କରି ଏତଲା ରୁଜୁ ହୋଇଛି। ଆସାମର କର୍ବି ଆଙ୍ଗଲଙ୍ଗ ଜିଲ୍ଲା ପ୍ରଶାସନ ଦ୍ବାରା ଅଭି‌ଯୋଗ ଦାଏର କରାଯାଇଛି ଏବଂ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ପୁଡ଼ୁଚେରୀର ମନ୍ନାଦିପେଟ ନିର୍ବାଚନମଣ୍ଡଳୀରେ ଆଜି ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି।ମିଳିଥିବା ସୂଚନାନୁଯାୟୀ ତିରୁକନୁର ଗ୍ରାମର ଏକ ଭୋଟିଂ ବୁଥ୍‌ ନିକଟରେ କିଛି ବି‌‌ଜେପି କର୍ମୀ ଠିଆ ହୋଇଥିବାବେଳେ କଂଗ୍ରେସ କର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ। କଂଗ୍ରେସ କର୍ମୀମାନେ କହିଥିଲେ କେବଳ ଭୋଟରମାନେ ହିଁ ଏଠାରେ ରହିପାରିବେ। ଏହି ଘଟଣାକୁ ନେଇ ଯୁକ୍ତିତର୍କ ଏବଂ ପରେ ସଂଘର୍ଷ ଉପୁଜିଥିଲା। କେରଳରେ ମଧ୍ୟ କିଛି ଭୋଟିଂ ବୁଥ୍‌ରେ ବିଜେପି ଏବଂ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିବା ଜଣାପଡ଼ିଛି।