ଆମ ବସ୍ ଚଳାଇବେ ମହିଳା ଡ୍ରାଇଭର, ପୁଣେରେ ନେବେ ବିଶେଷ ତାଲିମ
ଭୁବନେଶ୍ୱର: ରାଜ୍ୟରେ ସର୍ବସାଧାରଣ ପରିବହନକୁ ଆହୁରି ସୁଦୃଢ଼ ଓ ସମାବେଶୀ କରିବା ଲକ୍ଷ୍ୟରେ ଏକ ନୂଆ ପଦକ୍ଷେପ ନିଆଯାଇଛି। ଏବେ ଆମ ବସ୍ ଓ ଇ-ବସ୍ ଚଳାଇବେ ମହିଳା ଡ୍ରାଇଭର।
ଏହି ଯୋଜନା ଅନୁସାରେ ୨୦ ଜଣ ମହିଳାଙ୍କୁ ଇ-ବସ୍ ଚଳାନାରେ ପ୍ରଶିକ୍ଷଣ ଦିଆଯିବ।ମହିଳା ଡ୍ରାଇଭରମାନେ ମହାରାଷ୍ଟ୍ରର ପୁଣେ ସହରକୁ ତାଲିମ ନେବା ପାଇଁ ଯିବେ। ଆସନ୍ତା ଜାନୁଆରି ୩୧ ତାରିଖରେ ସେମାନେ ପୁଣେ ଯାତ୍ରା କରିବେ।
ଏହି ପ୍ରଶିକ୍ଷଣ ବ୍ୟବସ୍ଥା କ୍ୟାପିଟାଲ୍ ରିଜିଅନ୍ ଅର୍ବନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ କରାଯାଉଛି।ଇ-ବସ୍ ଚଳାନା, ସଡ଼କ ସୁରକ୍ଷା, ଯାତ୍ରୀ ସେବା ଓ ଆଧୁନିକ ପରିବହନ ବ୍ୟବସ୍ଥା ସମ୍ପର୍କରେ ମହିଳା ଡ୍ରାଇଭରମାନେ ପୁଣେରେ ବିଶେଷ ତାଲିମ ନେବେ। ତାଲିମ ସମ୍ପୂର୍ଣ୍ଣ ହେବା ପରେ ସେମାନେ ରାଜ୍ୟରେ ଆମ ବସ୍ ଓ ଇ-ବସ୍ ଚଳାଇବେ।ଏହି କାର୍ଯ୍ୟକ୍ରମର ସମୀକ୍ଷା ନଗର ଉନ୍ନୟନ ମନ୍ତ୍ରୀ କରିଥିବା ସୂଚନା ମିଳିଛି।
ଏହା ମାଧ୍ୟମରେ ମହିଳା ସଶକ୍ତିକରଣ ସହ ସହରୀୟ ପରିବହନ ବ୍ୟବସ୍ଥାକୁ ନୂଆ ଦିଗ ମିଳିବ ବୋଲି କୁହାଯାଉଛି।
