ଆଜି ବନ୍ଦ ଲଫାପା ରୁ ଖୋଲିବ ଗୁଡ଼ାରୀ ବ୍ଲକ ଅଧକ୍ଷା ଙ୍କ ଭାଗ୍ୟ
ରାୟଗଡ , ( ) ଗୁଡ଼ାରୀ ବ୍ଲକ ରାଜନୀତି ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଦୀର୍ଘ ଦିନର ଆଇନଗତ ଟଣାଓଟରା ଏବଂ କୋର୍ଟ କଚେରି ମାମଲା ପରେ ଶେଷରେ ଆଜି ୨୨ ତାରିଖରେ ବ୍ଳକ ଅଧ୍ଯକ୍ଷା ଲକ୍ଷ୍ମୀ ଶବରଙ୍କ ଭାଗ୍ୟ ନିର୍ଧାରଣ ହେବାକୁ ଯାଉଛି। ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ କ୍ରମେ ଆଜି 22 ତାରିଖ ରେ ବନ୍ଦ ଲଫାପାରେ ଥିବା ଅନାସ୍ଥା ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ମାନ୍ୟବର କୋର୍ଟ ର ନିର୍ଦ୍ଦେଶ ପାଇବା ପରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୧୩ ତାରିଖରେ ଚିଠି ସଂଖ୍ୟା ୧୩୨/୨୦୨୬/ଜି.ପି. .ପି. ଜରିଆ ରେ ବିଧିବଦ୍ଧ ନୋଟିସ ଜାରି କରାଯାଇଛି, ଯାହା ଗୁଡ଼ାରୀ ରାଜନୀତିରେ ଉଭୟ କଂଗ୍ରେସ ବିଜେଡି ବିଜେପି ପାଇଁ ବଡ଼ ଧରଣର ଓଲଟପାଲଟ ହେବାର ଆଭାସ ମିଳୁଛି । ପୁଣି ଥରେ ଏହା ଗୁଡାରୀ ବ୍ଲକର ରାଜନୈତିକ ପାଣି ପାଗକୁ ସରଗରମ କରିଦେଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୪ ଜୁଲାଇ ୨୦୨୫ରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଏକ ଅନାସ୍ଥା ଭୋଟ୍ ଗ୍ରହଣ କରାଯାଇଥିଲା। ତେବେ ଏହି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସ୍ଥାନୀୟ ବିଧାୟକ ସତ୍ୟଜିତ ଗମାଙ୍ଗ ଓ ଅଧ୍ଯକ୍ଷା ଲକ୍ଷ୍ମୀ ଶବର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଅନାସ୍ଥାଣ ପ୍ରସ୍ତାବ ବୈଠକ କରିବା ବେଆଇନ ବୋଲି ଯୁକ୍ତି ଦର୍ଶାଇ ଉଭୟେ ଦୁଇଟି ଭିନ୍ନ ରିଟ୍ ପିଟିସନ ଯାହା ୨୦୧୨୨/୨୦୨୫ ଏବଂ ୨୩୨୧୭/୨୦୨୫ ଦାଖଲ କରି ଥି ଲେ । ଳ ଷ୍ଟି ସ ଆର.କେ. ପଟ୍ଟନାୟକଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେବା ସହ ପୂର୍ବରୁ ହୋଇଥିବା ଅନାସ୍ଥା ବୈଠକକୁ ଆଇନ ସମ୍ମତ ବୋଲି ଦର୍ଶାଇଛନ୍ତି।
କୋର୍ଟଙ୍କ ସ୍ପଷ୍ଟ ମତ ଯେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଅନାସ୍ଥା ବୈଠକ କରିବାରେ କୌଣସି ଆଇନଗତ ବାଧା ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି l କୋର୍ଟଙ୍କ ଏହି ରାୟ ପରେ ଅନାସ୍ଥା ଗଣତି ଉପରେ ଲାଗିଥିବା ରହିତାଦେଶ ହଟିଯାଇଛି। ଏହାସହ ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁଡାରୀ ତହସିଲଦାର ଏ ସ୍ନେହଳତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଗଣତି କାର୍ଯ୍ୟ କରାଯିବ। ଏଥିରେ ଗୁଡ଼ାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଯୋଗାଇ ଦେବାକୁ କୁହାଯାଇଛି। ଗୁଣପୁର ସବ୍-ଟ୍ରେଜେରୀ ଅଫିସରେ ସୁରକ୍ଷିତ ଭାବେ ଥିବା ବାଲଟ୍ ବଡକୁ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ଗୁଡାରୀ ବ୍ଲକ କାର୍ଯ୍ୟାଳୟକୁ ଅଣାଯିବ। ଏହି ସମସ୍ତ ପ୍ରକ୍ରିୟା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆବଶ୍ୟକୀୟ ପୋଲିସ ମୁତୟନ କରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଜଣେ ଏକଜୁକୁଟିଭ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସମସ୍ତ ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟା, ରପଞ୍ଚ, କୋରାପୁଟ ସାଂସଦ ଏବଂ ଗୁଣୁପୁର ବିଧାୟକଙ୍କୁ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବା ପାଇଁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନୋଟିସ୍ ଜାରି କରାଯାଇଛି।
ସୂଚନା ଯୋଗ୍ୟ ଜେ ଗତ ଜୁଲାଇ ୨୪ ତାରିଖରେ ହୋଇଥିବା ମତଦାନ ସମୟରେ ୧୯ ଜଣ ସଭ୍ୟଙ୍କ ମଧ୍ୟରୁ ୧୬ ଜଣ ଅଧ୍ୟକ୍ଷାଙ୍କ ବିରୋଧରେ ଏକଜୁଟ ହୋଇ ଭୋଟ୍ ଦେଇଥିବା ଅନୁମାନ କରାଯାଉଛି। ଏହି ୧୬ ଜଣ ସଦସ୍ୟ ଏବେ ମଧ୍ୟ ନିଜ ଜିରେ ଅଟଳ ରହିଛନ୍ତି। ବିଧାୟକ ଓ ସାଂସଦ ସେହିଦିନ ଅନୁପସ୍ଥିତ ରହି ଥିବା ବେଳେ ଅଧ୍ୟକ୍ଷା ନିଜେ ମଧ୍ୟ ମତଦାନ କରିନଥିଲେ। ହାଇକୋର୍ଟଙ୍କ ଏହି ରାୟ ପରେ ଲକ୍ଷ୍ମୀ ଶବରଙ୍କ ନିଜ ଅଧ୍ୟକ୍ଷା ପଦ ହରାଇବା କେବଳ ଏକ ଆନୁଷ୍ଠାନିକ ଘୋଷଣାରେ ବାକି ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଜେଡି ଛାଡ଼ି କଂଗ୍ରେସର ହାତ ଧରିଥିବା ଲକ୍ଷ୍ମୀଙ୍କୁ ସୁରକ୍ଷା ଦେବାକୁ ଚାହୁଁଥିବା ବିଧାୟକଙ୍କ ରଣନୀତି ବିଫଳ ହେବ ନା ସେ ସୁରକ୍ଷା ଦେବାରେ ସଫଳ ହେବେ ତାହା ସାଧାରଣରେ ଚର୍ଚ୍ଚା ଲାଗି ରହିଛି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
