ଅଜା–ନାତିଙ୍କ ଜନ୍ମଦିନ ବୃଦ୍ଧାଶ୍ରମରେ ନିଆରା ଭାବେ ପାଳନ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସରସରା ଗ୍ରାମର ବାବୁ ତୁଷାନ୍ତ କୁମାର ଷଣ୍ଢ (ଜନ୍ମ–୧୨/୩/୨୦୨୩, ବାପା–ଦିଲ୍ଲିପ କୁମାର ଷଣ୍ଢ, ମା’–ସୀମା ଷଣ୍ଢ)ଙ୍କ ତୃତୀୟ ଜନ୍ମଦିନ ଆଜି ଅଭିଜିତ ଫାଉଣ୍ଡେସନ ପରିଚାଳିତ ଆଶ୍ରା ବୃଦ୍ଧାଶ୍ରମରେ ଅନ୍ତେବାସୀ ବୃଦ୍ଧ ମା’–ବାପାଙ୍କ ଗହଣରେ ନିରାଡ଼ମ୍ବର ଓ ନିଆରା ଶୈଳୀରେ ପାଳନ କରାଯାଇଥିଲା। ଏହି ଅବସରରେ ଶ୍ରୀଗିଡା ଗ୍ରାମର ଅମୁଲ୍ୟ ସୁନା (ପିତା–ଗୋବିନ୍ଦ ସୁନା, ମା’–ଜୟନ୍ତୀ ସୁନା, ଜନ୍ମ–୧୨/୩/୧୯୮୪)ଙ୍କ ଜନ୍ମଦିନ ମଧ୍ୟ ଆଜି ଦିନରେ ପଡ଼ିଥିବାରୁ କାର୍ଯ୍ୟକ୍ରମଟି ଅଧିକ ସ୍ମରଣୀୟ ହୋଇ ଉଠିଥିଲା। ସୂଚନା ଥାଉ କି, ବାବୁ ତୁଷାନ୍ତ ଓ ଅମୁଲ୍ୟ ସୁନା ସମ୍ପର୍କରେ ଅଜା–ନାତି ହୋଇଥିବାରୁ ଗୋଟିଏ ଦିନରେ ଦୁଇ ପିଢ଼ୀର ଜନ୍ମଦିନ ପାଳନ ଉପସ୍ଥିତ ସମସ୍ତଙ୍କ ମନକୁ ବିଶେଷ ଭାବେ ସ୍ପର୍ଶ କରିଥିଲା। ଶିଶୁର ଜନ୍ମଦିନକୁ ସମାଜସେବା ସହିତ ଯୋଡ଼ି ପାଳନ କରି ଅନୁଷ୍ଠାନ ଏକ ନୂତନ ସନ୍ଦେଶ ଦେଇଥିଲା ।
ବୃଦ୍ଧାଶ୍ରମରେ ବସବାସ କରୁଥିବା ଅସହାୟ ଓ ନିଷ୍ପେସିତ ବୃଦ୍ଧ ମା’–ବାପାଙ୍କ ଗହଣରେ କେକ୍ କାଟି ସମ୍ମାନ ସହ ଜନ୍ମଦିନ ପାଳନ କରାଯାଇଥିଲା। ବୃଦ୍ଧ ଅନ୍ତେବାସୀ ମାନେ ଶିଶୁ ତୁଷାନ୍ତଙ୍କ ଦୀର୍ଘାୟୁ ଓ ଉଜ୍ଜ୍ୱଳ ଭବିଷ୍ୟତ ସହ ଅମୁଲ୍ୟ ସୁନାଙ୍କ ସୁସ୍ଥ ଓ ସୁଖମୟ ଜୀବନ ପାଇଁ ଆଶୀର୍ବାଦ କରିଥିଲେ। ଏହି ଅବସରରେ ତୁଷାନ୍ତଙ୍କ ପରିବାର ପକ୍ଷରୁ ବୃଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କ ସହ ସମୟ ବିତାଇବା ସହ ସେମାନଙ୍କୁ ମିଠା ଓ ଖାଦ୍ୟ ବଣ୍ଟନ କରା ଯାଇଥିଲା। ସୋହେଲା ବ୍ଲକ୍ରେ ଅସହାୟ ଓ ନିଷ୍ପେସିତ ବୃଦ୍ଧ ମା’–ବାପାଙ୍କ ଥଇଥାନ ଭାବେ ଆଶ୍ରା ବୃଦ୍ଧାଶ୍ରମ ଦୀର୍ଘଦିନ ଧରି ମାନବିକ ସେବାର ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଆସୁଛି। ଏଭଳି ମାନବତାମୂଳକ ପଦକ୍ଷେପ ମାଧ୍ୟମରେ ଜନ୍ମଦିନ ପାଳନ କରାଯାଇ ଥିବାକୁ ସ୍ଥାନୀୟ ସୁଧୀଜନମାନେ ଉଚ୍ଚ ପ୍ରଶଂସା କରିଥିବା ବେଳେ, ଏପରି କାର୍ଯ୍ୟକ୍ରମ ସମାଜରେ ମାନବତା, ସହାନୁଭୂତି ଓ ସେବାଭାବକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ କରିଛନ୍ତି।
ଆଶ୍ରା ପରିବାର ।
ଅଭିଜିତ ଫାଉଣ୍ଡେସନ,ଦଶ ମାଇଲ ଛକ: ନଅଗାଁ,ବରଗଡ ।
