ଜାଗୃତି ଗୃହରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଆର,ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନାରେ ଥିବା ଜାଗୃତି ମହିଳା ସହାୟତା କେନ୍ଦ୍ର ଗୃହରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ଯୁବତୀ ଜଣକ ହେଲେ ଆର.ଉଦୟଗିରି ଥାନା ପାରିବେଟା ଗାଁର ସୁନାଲି ଗମାଙ୍ଗ (୧୯) । କିଭଳି ଓ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ଘଟିଲା ତାହା ସନ୍ଦେହଜନକ ରହିଛି | ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ କରୁଥିବା ଥାନା ଅଧିକାରୀ ଆମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ପାରିବେଟା ଗାଁର ସୁନାଲି ସୋମବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ବସଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ ବୁଲୁଥିଲା । ପାରଳାଖେମୁଣ୍ଡି ଥାନା ପୁଲିସ୍ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମଙ୍ଗଳବାର ସକାଳେ ମୋହନା ସ୍ଥିତ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ଦ୍ଵାରା ପରିଚାଳିତ ଅସହାୟ ମହିଳାଙ୍କୁ ସୁରକ୍ଷିତ ରହିବା ପାଇଁ ଥିବା ଜାଗୃତି ଗୃହରେ ଆଣି ଛାଡିଥିଲେ ପାରଳାଖେମୁଣ୍ଡି ପୁଲିସ । ତେବେ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ସୁନାଲି ଗମାଙ୍ଗ ବାଥ୍ ରୁମ ଯାଇଥିଲେ । କିଛି ସମୟ ପରେ ସେହି ଗୃହରେ ଥିବା ଆଉ ଜଣେ ଝିଅ ବାଥ୍ ରୁମକୁ ଯାଇଥିଲା । ତେବେ ବାଥ୍ ରୁମରେ ଏକ ଯାଇଥିବା ସୁନାଲିକୁ ଝୁଲନ୍ତା ଅବସ୍ଥାରେ ଦେଖି ସଂସ୍ଥା ଦାୟିତ୍ବରେ ଥିବା ପରିଚାଳକଙ୍କୁ କହିଥିଲେ । ସଂସ୍ଥା ପରିଚାଳକ ମୋହନା ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ତେବେ କେଉଁ ପରିସ୍ଥିତିରେ ଯୁବତୀ ଜଣକ ମୃତ୍ୟୁ ଘଟିଲା ତାହା ଏବେ ସନ୍ଦେହ ଘେରରେ ରହିଛି ।