ରାଜନୈତିକ ଦଳମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ ଆୟୋଜିତ।

ରାଜନୈତିକ ଦଳମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ ଆୟୋଜିତ

ଭୁବନେଶ୍ୱର:(ଅଭିଷେକ ମହାନ୍ତି) ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦ୍ଦେଶକ୍ରମେ ଚଳିତ ଅପ୍ରେଲ ୨୩ ତାରିଖ ମଙ୍ଗଳବାର ଦିନ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟିରିଂ ନିୟମାବଳୀ ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍‌. ତିରୁମାଲା ନାୟକ ଏହି ବୈଠକରେ ଅଧ୍ୟକ୍ଷତା କରି ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପରିପ୍ରେକ୍ଷୀରେ ମିଡ଼ିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟିରିଂ ସଂପର୍କିତ ନିୟମାବଳୀର କାର୍ଯ୍ୟକାରିତା, ଅନୁପାଳନ ସଂପର୍କିତ ବିଭିନ୍ନ ଦିଗ ଉପରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ଜିଲ୍ଲା, ରାଜ୍ୟ ଏବଂ ଭାରତ ନିର୍ବାଚନ ଆୟୋଗ ସ୍ତରରେ ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଗଠିତ ହୋଇଥିବା ମିଡ଼ିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟିରିଂ କମିଟି ଗଠନ ସଂପର୍କରେ ସୂଚନା ଦେଇ ଇଲେକ୍‌ଟ୍ରୋନିକ୍ସ ମିଡ଼ିଆରେ ରାଜନୈତିକ ବିଜ୍ଞାପନଗୁଡ଼ିକ କିପରି ପ୍ରାକ୍‌-ପ୍ରମାଣୀକୃତ ହେବା ଆବଶ୍ୟକ ସେ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଇଲେକ୍‌ଟ୍ରୋନିକ୍‌ ମିଡ଼ିଆ ଅନ୍ତର୍ଗତ ଟିଭି/କେବୁଲ ଚ୍ୟାନେଲ, ରେଡ଼ିଓ ତଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାକୁ ଥିବା ରାଜନୈତିକ ବିଜ୍ଞାପନଗୁଡ଼ିକର ପ୍ରାକ୍‌-ପ୍ରମାଣୀକୃତ ପଦ୍ଧତି, ପ୍ରିଣ୍ଟ ମିଡ଼ିଆରେ ବିଜ୍ଞାପନ ପାଇଁ ପ୍ରାକ୍‌-ପ୍ରମାଣୀକୃତ ପଦ୍ଧତି ସଂପର୍କରେ ଏହି ବୈଠକରେ ବିଶଦ ଆଲୋଚନା ହୋଇଥିଲା । ଏତଦ୍‌ବ୍ୟତୀତ ପେଡ୍‌ନୁ୍ୟଜ୍‌ର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ରାଜନୈତିକ ବିଜ୍ଞାପନ ପ୍ରସ୍ତୁତିରେ ଧର୍ମ, ଜାତି ଓ ଭାଷା କ୍ଷେତ୍ରରେ ବିଦେ୍ୱଷ ସୃଷ୍ଟି କରୁଥିବା ଏବଂ ସାଂପ୍ରଦାୟିକତାବାଦ ଓ ଶ୍ରତୁତା ସୃଷ୍ଟି କରୁଥିବା ଦିଗକୁ ବାରଣ କରାଯାଇଛି ।

ଏହି ବୈଠକରେ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନାମିକା ସିଂହ, ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ସଂପୃକ୍ତ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *